ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ, ୟୁଟୁବ୍ ଦେଖି ଶିଖିଥିଲେ କୌଶଳ

169

କନକ ବ୍ୟୁରୋ : ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ । ୪ଟି ସୁନା ଚେନ୍ ସହ ଚୋରିରେ ବ୍ୟବହାର ହୋଇଥିବା ୪ଟି ମୋବାଇଲ, ମଟର ସାଇକଲ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନରେନ୍ଦ୍ର ମାଛ, ଅଭି ହରିଜନ, ହେମନ୍ତ ନାଗ । ଏହି ୩ଜଣ କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଲକର ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ସୁବାସ ହରିଜନର ଘର ଜୟପୁର ବ୍ଲକରେ ।

ଚୋରି କରି ଏମାନେ ଏହି ସୁନାକୁ ବନ୍ଧକ ରଖିବା ପାଇଁ ସୁବାସଙ୍କୁ ଦେଉଥିବା ପୁଲିସକୁ ଦେଇଥିଲେ ସୁଚନା।  ଏମାନେ ଗତ କିଛି ମାସ ଧରି ୟୁଟୁବରେ ବିଭିନ୍ନ ଅପରାଧ କରି କିଭଳି ଖସି ଯିବେ ସେ ସଂପର୍କରେ ବିଭିନ୍ନ ବିଡିଓ ଓ ଅପରାଧିକ ଘଟଣା ଗୁଡିକ ଦେଖିଥିଲେ। କିଭଳି ଛିନତାଇ କରିବେ ସେ ସଂପର୍କରେ ବି ଶିଖିଥିଲେ। ତା ପରେ ବୟସ୍କ ମହିଳା ଏବଂ ଶୁନ୍ ଶାନ୍ ରାସ୍ତାରେ ଯାଉଥିବା ବୟସ୍କ ମହିଳାଙ୍କୁ ଟାର୍ଗେଟ୍ କରିଥିଲେ ।

ଦୁଇଟି ଏକା ନମ୍ବର ପ୍ଲେଟ୍‌ ଥିବା ଚୋରୀ ବାଇକକୁ ନେଇ ଛିନତା‌ଇ କରିବାକୁ ଯାଉଥିଲେ । ମୁଖ୍ୟମାଷ୍ଟର ମାଇଣ୍ଡ ଦୁର୍ବତ୍ତ ଅଭିଯୁକ୍ତ ହେମନ୍ତ ଗୋଟିଏ ବାଇକରେ ବସି ଚଳାଉଥିବା ବେଳେ  ଅନ୍ୟ ଅଭିଯୁକ୍ତ ଅଭି ମହିଳାମାନଙ୍କ ବେକରୁ ଅତି ସନ୍ତର୍ପଣର ସହ ସୁନା ଚେନ୍ ଟାଣି ଆଣୁଥିଲେ। ଏସମୟରେ ଏମାନେ ମୁହଁରେ ମାସ୍କ, ହୁଡି ପିନ୍ଧି ଯାଉଥିଲେ। ଚେନ୍ ଟା‌ଣି ଆଣିବା ପରେ ଅଭିଯୁକ୍ତ ଅଭି ଅନ୍ୟ ଅଭିଯୁକ୍ତ ନରେନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଉଥିଲା।

ଗତ କିଛି ଦିନ ହେଲା ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚୋରି ଘଟଣା ଦିନକୁ ଦିନ ବଢ଼଼ି ଚାଲିଥିଲା । ନବରଙ୍ଗପୁର ଓ କୋରାପୁଟ ଜିଲ୍ଳାର ୩ଟି ଥାନାର ଅଧିକାରୀଙ୍କୁ ନାକେଦମ କରି ରଖିଥିଲେ ଏହି ଚେନ ଲୁଟେରା । ତେବେ ଏମାନଙ୍କ ଲିଙ୍କ କେଉଁ ବଡ଼ ଗ୍ୟାଙ୍କ ସହ ରହିଛି କି ? ଏମାନଙ୍କ ଟିମରେ ଆଉ କିଏ କିଏ ସାମିଲ ଅଛନ୍ତି ? ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।