ପୁଣି ଚର୍ଚ୍ଚାରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ଫିଲ୍ମକୁ ଅଶ୍ଳୀଳ କହିଲେ ଆଇଏଫ୍ଏଫ୍ଆଇ ମୁଖ୍ୟ ବିଚାରକ

118

କନକ ବ୍ୟୁରୋ : ଭାରତୀୟ ସିନେମା ଦ କଶ୍ମୀର ଫାଇଲସକୁ ନେଇ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆର ଜୁରୀ ମୁଖ୍ୟ ତଥା ଇସ୍ରାଏଲ ଫିଲ୍ମ ନିର୍ମାତା ନାଦଭ ଲାପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଲାପିଡ କହିଛନ୍ତି କି ଦ କଶ୍ମୀର ଫାଇଲସ ଏକ ଅଶ୍ଳୀଳ ଫିଲ୍ମ । ଏହା ଏକ ପ୍ରୋପାଗଣ୍ଡା । ଏହାର କାହାଣୀ ଚିନ୍ତାଜନକ ଅଟେ । ଆଇଏଫଏଫଆଇ ଭଳି ଏକ ସମ୍ମାନଜନକ ଆୱାର୍ଡ ସେରୋମୋନିରେ ଏଭଳି ଫିଲ୍ମକୁ ପ୍ରଦର୍ଶନ ପାଇଁ ଅଯୋଗ୍ୟ ।

ନାଦଭ ଏକଥା ମଧ୍ୟ କହିଥିଲେ କି ସେ କୌଣସି କାର୍ଯ୍ୟକ୍ରମରେ ଲିଖିତ ଭାଷଣ ପଢନ୍ତି ନାହିଁ । କିନ୍ତୁ ପ୍ରଥମ ଥର ପାଇଁ ଏଭଳି କରୁଛନ୍ତି । କାରଣ ସେ ନିଜ ମନର କଥାକୁ ସଠିକ ଭାବେ ସମସ୍ତଙ୍କ ନିକଟରେ ପହଁଚାଇବାକୁ ଚାହୁଁଛନ୍ତି । ନାଦଭ ଲାପିଡଙ୍କ ଭିଡିଓ ଭାଇରାଲ ହେବା ପରେ ସବୁଠି ଏବେ ତାଙ୍କୁ ସମାଲୋଚନା କରାଯାଉଛି । ଚାରିଆଡୁ ନିନ୍ଦା କରାଯାଉଛି । ବୟାନକୁ ନେଇ ବିବାଦ ଦେଖାଯିବା ପରେ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଟୁଇଟ କରି ଲାପିଡଙ୍କୁ ନିନ୍ଦା କରିଛନ୍ତି । କୌଣସି ପ୍ରସଙ୍ଗ ଉପରେ ସଠିକଭାବେ ଅଧ୍ୟୟନ ନକରି ଏଭଳି ମତାମତ ନିନ୍ଦନୀୟ ବୋଲି ଇସ୍ରାଏଲ ରାଷ୍ଟ୍ରଦୂତ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଏଥିସହ ସେ ଭାରତକୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ଜୁରୀ ମୁଖ୍ୟଙ୍କ ଏହି ବୟାନକୁ ବିରୋଧ କରାଯିବା ସହ ତାଙ୍କ ନାଁରେ ଦିଲ୍ଲୀରେ ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି । ରିଲିଜ ପରେ ଯେଉଁ ଫିଲ୍ମ ନିଜର କାହାଣୀ, କଳାକାରଙ୍କ ଚମକ୍ରାର ଅଭିନୟ ପାଇଁ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ସାଧାରଣ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା ସେହି ଫିଲ୍ମକୁ ଏବେ ଆଇଏଫଏଫଆଇ ମଂଚରେ ଅପମାନ ଦେଇଛନ୍ତି ଜୁରୀ ହେଡ୍ । ଯାହାକୁ ନେଇ ବିରୋଧ ଦେଖିବାକୁ ମିଳିଛି ।

ଦ କଶ୍ମୀର ଫାଇଲସ ରିଲିଜ ପରଠୁ କୌଣସି ନା କୌଣସି କାରଣରୁ ବିବାଦ ଭିତରେ ଫଶିଛି । ସପକ୍ଷ ଓ ବିପକ୍ଷ ଭିତରେ କେଉଁଠି ଫିଲ୍ମକୁ ପ୍ରଂଶସା ମିଳିଥିଲା ତ ପୁଣି କେଉଁଠି ସମାଲୋଚନା । ଏହା ଭିତରେ ବେଶ ଚର୍ଚ୍ଚା ସାଉଁଟିଥିଲା ଦ କଶ୍ମୀର ଫାଇଲସ । ୨୦୨୨ ମାର୍ଚ୍ଚ ୧୧ରେ ପରଦାକୁ ଆସିଥିଲା ଫିଲ୍ମ । କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାର ଓ ଘାଟିରୁ ସେମାନଙ୍କ ପଳାୟନର ସତ୍ୟ ଘଟଣାକୁ ନେଇ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିର୍ମାଣ କରିଥିଲେ ।