ଏଣିକି ଏଲଇଡି ବଲରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ଲିଫି ଟେକ୍ନୋଲୋଜି ହେବ ଗେମ୍ ଚେଞ୍ଜର

553

କନକ ନ୍ୟଜ୍: ଏମିତି ତ ଭାରତରେ ୪ଜି ପରେ ଏବେ ୫ଜି ସେବାକୁ ଚାତକ ପରି ଚାହିଁଛନ୍ତି । ୪ଜିଠାରୁ ୫ଜିର ସ୍ପିଡ ଅଧିକ ଥିବାରୁ ଏଥିପାଇଁ ଲୋକଙ୍କ ଆଗ୍ରହ ବେଶ୍ ରହିଛି । ହେଲେ ଆପଣ ଜାଣନ୍ତି କି ଭବିଷ୍ୟତରେ ଏଲଇଡି ବଲରୁ ବି ମିଳିବ ଇଣ୍ଟରନେଟ୍ ସେବା । ତା ପୁଣି ଏମିତି ସେମିତି ନୁହେଁ ପୁରା ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍ । ଯଦି ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଏ ଯେ, ଏହା କିପରି ସମ୍ଭବ? ତାହେଲେ ଜାଣିରଖନ୍ତୁ ଏଲଇଡି ବଲରୁ ମିଳିବାକୁ ଥିବା ଇଣ୍ଟରନେଟ୍ ସ୍ପିଡ୍ ୪ଜିଠାରୁ ବି ଅନେକ ଗୁଣରେ ଅଧିକ ହେବ ।

୪ଜି ଲଞ୍ଚ ହେବା ପରେ ଦେଶରେ ସବୁ ଇଣ୍ଟରନେଟ୍ ୟୁଜର୍ସ ପୂର୍ବାପେକ୍ଷା ବେଶ୍ ଖୁସି , କାରଣ ସେମାନଙ୍କୁ ମୋବାଇଲରେ ସ୍ପିଡ୍ ଇଣ୍ଟରନେଟ୍ ମିଳୁଛି । ଏହାପରେ ୫ଜି ସର୍ଭିସକୁ ଏବେ ଦେଶବାସୀଙ୍କୁ ଅପେକ୍ଷା । କାରଣ ଅନେକ ସ୍ଥାନରେ ଏବେବି ୫ଜି ସେବା ପହଞ୍ଚିବାକୁ ବାକି ଅଛି । ହେଲେ ୟାଠାରୁ ବି ସୁପରଫାଷ୍ଟ ଇଣ୍ଟରନେଟ୍ ସେବା ମିଳେିଲେ କେମିତି ହେବ?
ଆଗାମୀ ଦିନରେ ଆମ ଦେଶର ଲୋକଙ୍କୁ ଏଲଇଡି ବଲରୁ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍ । ଏହି ଟେକ୍ନୋଲୋଜିର ନାଁ ହେଉଛି ଲିଫି ।ଏହା ଏଲଇଡି ବଲ ଆଧାରରେ କାର୍ଯ୍ୟ କରିବ । ଏହି ଟେକ୍ନୋଲୋଜିରେ ଚାଲୁଥିବା ଇଣ୍ଟରନେଟ୍ ୪ଜି ଠାରୁ ୧୦୦ ଗୁଣା ଅଧିକ ସ୍ପିଡରେ ୟୁଜର୍ସଙ୍କ ପାଖରେ ପହଞ୍ଚିବ । ସରଳ ଅର୍ଥରେ କହିବାକୁ ଗଲେ ଲିଫିରେ ଚାଲୁଥିବା ଇଣ୍ଟରନେଟ୍ ପ୍ରତି ସେକେଣ୍ଡରେ ୧୦ ଜିବି ସ୍ପିଡରେ ପହଞ୍ଚିପାରିବ । ନିକଟରେ କେନ୍ଦ୍ର ସରକାରଙ୍କ ଇନଫରମେସନ୍ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟ ଏନେଇ ଘୋଷଣା କରିବା ସହ ଏହାକୁ ସଫଳଭାବେ ପ୍ରୟୋଗ କରାଯାଇସାରିଛି ବୋଲି କହିଛନ୍ତି ।
ନୂଆ ଲିଫି ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଭାବେ LED ବଲ୍ୱର ଆଲୋକ ତରଙ୍ଗ ଅର୍ଥାତ୍ ଲାଇଟ୍ ସ୍ପେକ୍ଟ୍ରମକୁ ବ୍ୟବହାର କରିବ । ଏହି ଜ୍ଞାନକୌଶଳରେ କିଛି କିଲୋମିଟର ପରିସୀମା ଭିତରେ ୧୦ ଜିବିପିଏସ୍ ସ୍ପିଡରେ ଇଣ୍ଟରନେଟ୍ ପ୍ରସାରିତ ହୋଇପାରିବ । ଏହାକୁ ବ୍ୟବହାର କରିବାରେ ବ୍ରଡବ୍ୟାଣ୍ଡ, ୱାଇଫାଇ, ଫାଇବର, ନା କୌଣସି ଅପ୍ଟିକାଲ ଫାଇବର କାହାରି ଆବଶ୍ୟକତା ନାହିଁ । ଏହି ଟେକ୍ନୋଲୋଜିରେ ଇଣ୍ଟରନେଟ୍ ଡାଟା ଏଲଇଡି ଲାଇଟ୍ ସ୍ପେକ୍ଟ୍ରମ ସହାଯ୍ୟରେ ହିଁ ଫୁଲ ସ୍ପିଡରେ ସର୍ଭିସ ଦେବ ।

ଭାରତରେ ଲିଫି ଟେକ୍ନୋଲୋଜିକୁ ଟେଷ୍ଟ କରିବା ଏବଂ ଦେଶର ଆବଶ୍ୟକତା ଅନୁସାରେ ବିକଶିତ କରିବାରେ ମାଡ୍ରାସ୍ ଆଇଆଇଟି ଓ ଏଲିଡି ବଲ ନିର୍ମାତା ଫିଲିପ୍ସ କମ୍ପାନୀ ମିଳିତ ଭାବେ ପରୀକ୍ଷାନୀରିକ୍ଷା କରୁଛନ୍ତି । ଏହାସହ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ମଧ୍ୟ ଏହି ପ୍ରୋଜେକ୍ଟରେ କାମ କରୁଛି । ଏହି ପ୍ରୋଜେକ୍ଟ ସଫଳ ହେଲେ କେବଳ ସହରାଞ୍ଚଳ ନୁହେଁ ବରଂ ଗାଁମାନଙ୍କୁ ମଧ୍ୟ ଇଣ୍ଟରନେଟ୍ ସେବା ଯୋଗାଇବା ସହଜ ହେବ ।
ଲିଫି ଟେକ୍ନୋଲୋଜି ସଫଳ ହେଲେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଉପକୃତ ହେବା ସହ ଏଠିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ସୁଧୁରିପାରିବ ବୋଲି ମତ ପ୍ରକାଶ ପାଇଛି ।