ପ୍ରଥମ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୭.୮ % : ଦ୍ୱିତୀୟ ତ୍ରୈମାସିକ ରିପୋର୍ଟରେ ବି ବଢ଼ିଛି ଅଭିବୃଦ୍ଧି ହାର

68

କନକ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୭ ଦଶମିକ ୮ ପ୍ରତିଶତ ଅଭିବୃଦ୍ଧି ହୋଇଛି ଦେଶର ଘରୋଇ ଉତ୍ପାଦ । ଲଗାତର ଦ୍ୱିତୀୟ ତ୍ରୈମାସିକ ପାଇଁ ଜିଡିପି ଅଭିବୃଦ୍ଧି ବଢ଼ିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏନଏସଓ ପକ୍ଷରୁ ଜାରି ତଥ୍ୟରୁ ଏହା ଜଣାପଡ଼ିଛି । ତଥ୍ୟ ଅନୁସାରେ, ସେବା ଓ ମାନୁଫାକଚରିଂ କ୍ଷେତ୍ରର ପ୍ରଦର୍ଶନ ଉତ୍ସାହଜନକ ରହିବା କାରଣରୁ ଅର୍ଥନୀତି ବର୍ଷକ ଭିତରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କେନ୍ଦ୍ର ଓ ରାଜ୍ୟ ଗୁଡ଼ିକର ପୁଞ୍ଜି ନିବେଶ ବୃଦ୍ଧି ଫଳରେ ଅର୍ଥନୀତିକୁ ଗତି ମିଳିଥିବା ଜଣାପଡ଼ିଛି ।

ଏହା ସହିତ ବିନିର୍ମାଣ କାର୍ଯ୍ୟକଳାପ ବି ତ୍ୱରାନ୍ୱିତ ହୋଇଛି, ଯାହା ଅର୍ଥନୀତିକୁ ଅଧିକ ଗତିଶୀଳ କରିଥିବା ଜଣାପଡ଼ିଛି । ୨୦୨୨-୨୩ର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୧୩ ଦଶମିକ ୫ ପ୍ରତିଶତ ଥିଲା । ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩ ଦଶମିକ ୫ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବବର୍ଷ ତାହା ୫ ଦଶମିକ ୫ ପ୍ରତିଶତ ଥିଲା । ତେବେ ଅର୍ଥନୀତିଜ୍ଞମାନେ ସତର୍କ କରାଇଛନ୍ତି ଯେ ଜଳବାୟୁରେ ଏଲ୍-ନିନୋର ପ୍ରଭାବ ରହିବା ଏବଂ ଦରଦାମ ବେଲଗାମ ଥିବାରୁ ଆଗାମୀ ଦିନରେ ଅର୍ଥନୀତି ପାଇଁ ବିପଦ ସୃଷ୍ଟି ହୋଇପାରେ ।