କଲୋମ୍ବୋରେ କମାଲ କଲେ କାର୍ତ୍ତିକ ! ଶେଷ ବଲରେ ଛକା ମାରି ଜିତାଇଲେ ଫାଇନାଲ

35

ନିଦହାସ ଟ୍ରଫିର ଫାଇନାଲ ଫାଇଟରେ ରୋମାଞ୍ଚକର ମୁକାବିଲାରେ ବିଜୟୀ ହେଲା ଭାରତ । ବାଂଲାଦେଶକୁ ୪ ୱିକେଟରେ ପରାସ୍ତ କରି ସିରିଜ ହାତେଇଛି ଭାରତ । ଶେଷ ବଲରେ ଛକା ମାରି ଭାରତକୁ ଦମଦାର ବିଜୟ ଉପହାର ଦେଇଛନ୍ତି କାର୍ତ୍ତିକ । କାର୍ତ୍ତିକଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରିଛି । ୧୬୭ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଦ୍ରୁତ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଶୀଘ୍ର ୱିକେଟ ହରାଇଥିଲା ।

୧୨ ବଲରେ ବିଜୟ ପାଇଁ ଦରକାର ଥିଲା ୩୪ ରନ । ଷ୍ଟ୍ରାଇକରେ କାର୍ତ୍ତିକ ଥିବା ବେଳେ ନନ ଷ୍ଟାଇକ ଏଣ୍ଡରେ ଥିଲେ ନବାଗତ ବିଜୟ । ୧୮ ତମ ଓଭର ବାଂଲାଦେଶ ପକ୍ଷରୁ ନେଇ ଆସିଥିଲେ ରୁବେଲ । ଏହି ଓଭର ହିଁ ଭାରତ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା । ୧୮ ତମ ଓଭରରୁ ୨୨ ରନ ସଂଗ୍ରହ କରି ନେଇଥିଲେ ଦିନେଶ କାର୍ତ୍ତିକ । ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୧୨ ରନ ଦରକାର ଥିବା ବେଳେ ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଜାରି ରହିଥିଲା । ତେବେ ଶେଷ ବଲରେ ହିଁ ମ୍ୟାଚର ଫଇସଲା କରିଥିଲେ କାର୍ତ୍ତିକ । ଅଫସାଇଡରେ ଏକ ଲମ୍ବା ଛକା ମାରି ଭାରତକୁ ଚଖାଇଥିଲେ ବିଜୟର ସ୍ୱାଦ ।

କଲୋମ୍ବର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ମାତ୍ର ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । ଭାରତ ପକ୍ଷରୁ ଚହଲ ୩ ୱିକେଟ ନେଇଥିବା ବେଳେ ଉନାଦକତ ହାତେଇଥିଲେ ୨ ୱିକେଟ ।