ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ାଉ: କର୍ମଚାରୀଙ୍କ ଘରେ ନଗଦ ୩୦ କୋଟି ଟଙ୍କା

3,373

କନକ ବ୍ୟୁରୋ: ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ କରିଛି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫ଶହ ଟଙ୍କିଆ ନୋଟ୍ ମିଳଛି ।

ଟ୍ରଙ୍କ ଓ ଆଟାଚରେ ପୁଳାପୁଳା ଟଙ୍କା । ଖାଲି ୫୦୦ ଟଙ୍କିଆ ନୋଟ୍ ବିଡା । ଘର ଭିତରେ ସାଇତା ହୋଇ ରହିଛି ନଗଦ ପ୍ରାୟ ୩୦ କୋଟି ଟଙ୍କା । ଆୟକର ଚଢାଉ ବେଳେ ଏତେ ପରିମାଣର ଟଙ୍କା ସାମ୍ନାକୁ ଆସିଛି । ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ମିଳିଛି ଏହି ଟଙ୍କା । ଟିଭି ପରଦାରେ ଏତେ ପରିମାଣର ଟଙ୍କା ଦେଖି ଆଖି ଖୋସି ହୋଇଯାଇଛି । ଟିକସ ଫାଙ୍କି ଅଭିଯୋଗରେ ଗତକାଲି ରାତିରୁ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ ଉପରେ ଆୟକର ଚଢାଉ ଚାଲିଛି । କମ୍ପାନୀର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀଙ୍କ ଘର ସମେତ ୨୨ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି ।

ଡିଏନ ଗ୍ରୁପ୍ କର୍ମଚାରୀଙ୍କ ଘରେ ରେଡ୍
– ଭୁବନେଶ୍ୱର ୪ ନମ୍ବରରେ ଥିବା କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ରେଡ୍
– ଚଢାଉରେ ସାମିଲ ଆୟକର ବିଭାଗର ୭ ଜଣିଆ ଟିମ୍
– ଚଢ଼ାଉ ବେଳେ ମିଳିଲା ପ୍ରାୟ ୩୦ କୋଟି ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର
– ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚରେ ରହିଛି କେବଳ ୫ଶହ ଟଙ୍କିଆ ନୋଟ୍ ବିଡ଼ା
– ଚଢ଼ାଉରେ ସାମିଲ ୧୦ରୁ ୧୨ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀ

ରାଜ୍ୟର ଏକ ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ । ତେବେ ସଂସ୍ଥା କେତେ ଟିକସ ଫାଙ୍କିଛି ଓ କେଉଁ ଅଭିଯୋଗ ଆଧାରରେ ଏହି ରେଡ୍ ଚାଲିଛି ସେନେଇ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । କର୍ମଚାରୀଙ୍କ ଘରୁ ମିଳିଥିବା ଟଙ୍କା ସହ ଊଘ ଗ୍ରୁପ୍ର କଣ ସଂପର୍କ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଜବତ ହୋଇଥିବା ଏତେ ପରିମାଣର ନଗଦ ଟଙ୍କା କାହିଁକି ଜଣେ କର୍ମଚାରୀ ଘରେ ରଖିଥିଲେ ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହା ଯାଉଛି ।

ଡି.ଏନ୍ ଗ୍ରୁପର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ । ଓଡ଼ିଶାର ଜଣେ ଜଣାଶୁଣା ଯନ୍ତ୍ରୀ ଓ ଉଦ୍ୟୋଗୀ । ଗତ ୨୫ ବର୍ଷ ଧରି ଗୃହ ନିର୍ମାଣ ଓ ଭିତିଭୂମି ବିକାଶ ଦିଗରେ କାର୍ଯ୍ୟ କରି ଆସୁଛି ଏହି ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ । ଶିକ୍ଷା, ରିଟେଲ୍ ବ୍ୟବସାୟ ଓ ଆତିଥ୍ୟ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛି ଡିଏନ୍ ଗ୍ରୁପ୍ । ରାଜ୍ୟରେ ଅନେକ ପ୍ରିମିୟମ ହାଉସିଂ ପ୍ରୋଜେକ୍ଟ କରିଛି ଡି.ଏନ୍ ଗ୍ରୁପ୍ । ତେହେ ଟିକସ ଫାଙ୍କି ଅଭିଯୋଗରେ ଏହି ବ୍ୟବସାୟିକ ପ୍ରତିଷ୍ଠାନର ବିଭିନ୍ନ ସ୍ଥାନରେ ଆୟକର ଚଢାଉ ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।