‘ହତ୍ୟା’ର ଫିଲ୍ମ ଷ୍ଟାଇଲ : ସାମାନ୍ୟ ବଚସାରୁ ମାଆ-ଝିଅଙ୍କ ଉପରେ ଟ୍ରକ ଚଢାଇଦେଲା ଡ୍ରାଇଭର

340

କନକ ବ୍ୟୁରୋ : ସଡକ ଦୁର୍ଘଟଣା ପଛରେ ରହିଛି ପ୍ରତିଶୋଧ । ରାସ୍ତା ଉପରେ ହୋଇଥିବା ସାମାନ୍ୟ ବଚସାକୁ କେନ୍ଦ୍ର କରି ମାଆ-ଝିଅଙ୍କ ଉପରେ ଟ୍ରକ ଚଢାଇ ଦେଇଛି ଡ୍ରାଇଭର । ବୁଧବାର ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡା ଛକ ନିକଟରେ ହୋଇଥିବା ଦୁର୍ଘଟଣା ପଛରେ ରହିଛି ଏମିତି ଏକ ସାଙ୍ଘାତିକ କାରଣ । ପ୍ରତିଶୋଧ ପରାୟଣ ହୋଇ ଡ୍ରାଇଭର କରିଛି ଏଭଳି ନାରକୀୟ କାଣ୍ଡ । ସ୍କୁଟିରେ ଯାଉଥିବା ମାଆ-ଝିଅଙ୍କ ଉପରେ ମଡାଇ ଦେଇଛି ଟ୍ରକ ।

ସୂଚନା ଅନୁସାରେ ଗୋଟିଏ ସ୍କୁଟିରେ ସୁକିନ୍ଦା ଅଂଚଳର ଅଶୋକ ଚକ୍ରବର୍ତୀଙ୍କ ସ୍ତ୍ରୀ ଶ୍ରିତିକା ଚକ୍ରବର୍ତୀ ଓ ଝିଅ ସୋନାଲି କେନ୍ଦ୍ରାପଡା ଜିଲ୍ଲାରୁ ଶୁଦ୍ଧି ସାରି ଫେରୁଥିଲେ । ବାଟରେ ଏକ ଟ୍ରକ୍ ଡ୍ରାଇଭର ମାଆ ଓ ଝିଅଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା । ଯୁବତୀ ଜଣକ ଏହାର ପ୍ରତିବାଦ କରି ୫୩ ନମ୍ବର ଜାତୀୟ ରାଜପଥ ଆରୁହା ନିକଟରେ ଗାଡି ଅଟକାଇ ଟ୍ରକ ଡ୍ରାଇଭରଙ୍କୁ ଗାଳି କରିଥିଲେ । ଏହାକୁ ନେଇ ଟ୍ରକ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ପହଞ୍ଚି ମାମଲାର ସମାଧାନ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ମାଆ, ଝିଅଙ୍କୁ ଗାଡି ଚଢାଇ ହତ୍ୟା କରିଥିଲା ଟ୍ରକ୍ ଡ୍ରାଇଭର ।

ବଚସା ବେଳେ ଯୁବତୀ ଜଣଙ୍କ ଟ୍ରକ ଡ୍ରାଇଭରଙ୍କୁ ମାଡ ମାରିବା ସହ ନିଜ ମୋବାଇଲରେ ଫଟ ଉଠାଇ ରଖିଥିଲେ । ଏହାପରେ ଡ୍ରାଇଭର ଜଣଙ୍କ ଯୁବତୀ ଓ ତାଙ୍କ ମାଆଙ୍କୁ ଦେଖିନେବ ବୋଲି ମଧ୍ୟ ଧମକ ଦେଇଥିଲେ । ଏହାପରେ ଡ୍ରାଇଭର ଜଣଙ୍କ ନିଜ ଟ୍ରକ୍ରେ ସ୍କୁଟିରେ ଯାଉଥିବା ମାଆ – ଝିଅଙ୍କୁ ହତ୍ୟା କରିଛି । ପ୍ରଥମରୁ ଏହି ଘଟଣା ଦୁର୍ଘଟଣା ବୋଲି ଜଣା ପଡୁଥିବାବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣା ପଡିଥିଲା । ଜେନାପୁର ପୋଲିସ ଡ୍ରାଇଭର ଅମର ସ୍ୱାଇଁଙ୍କୁ ଗିରଫ କରାଯାଇଛି ।