ଖତ ଖାଉଛି ଲକ୍ଷ୍ମୀ ବସ୍: କିଛି ମାସ ଭିତରେ ଯୋଜନା ବାଟବଣା

325

କନକ ବ୍ୟୁରୋ: ତରବରିଆ କାମରେ ସଫଳତାର ସମ୍ଭାବନା କମ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ସେବା । ଗାଁରୁ ବ୍ଲକ କାର୍ଯ୍ୟାଳୟକୁ କମ ଖର୍ଚ୍ଚରେ ଲୋକଙ୍କୁ ଯାତାୟତ ସୁବିଧା ଯୋଗାଇବାକୁ ଆରମ୍ଭ ହୋଇଥିଲା ଏହି ଲକ୍ଷ୍ମୀ ବସ । ଏବେ କିନ୍ତୁ ଏହି ବସ ସେବା ବାଟବଣା । ଦୌଡୁଛି କମ୍ ବିଭିନ୍ନ ସ୍ଥାନରେ ପଡି ରହିଛି ଅଧିକ । ଯଦିଓ ଏହି ବସ୍ ସେବାର ନାମ ପରିବର୍ତନ ହୋଇ ଚାଲିବ ବୋଲି ନିକଟରେ ପରିବହନ ମନ୍ତ୍ରୀ କହିଥିଲେ ।

ଗାଁରୁ ବ୍ଲକ କାର୍ଯ୍ୟାଳୟକୁ କମ ଖର୍ଚ୍ଚରେ ଲୋକଙ୍କୁ ଯାତାୟତ ସୁବିଧା ଯୋଗାଇବାକୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ । ଏବେ କିନ୍ତୁ ବିଭିନ୍ନ ସହରରେ ଲକ୍ଷ୍ମୀ ବସ ଯୋଜନା ଏବେ ବାଟବଣା ହୋଇଯାଇଛି । ସରକାରୀସ୍ତରରେ ଯେତେବେଳେ କୌଣସି ଯୋଜନା ତରବରିଆ ଭାବେ ଲାଗୁ କରାଯାଏ । ତାର ପରିଣାମ ଠିକ୍ ଏଭଳି ହୋଇଥାଏ ।

ଗାଁଠୁ ସହରକୁ ଯୋଡିବା ପାଇଁ ପୂର୍ବ ସରକାର କରିଥିବା ଲକ୍ଷ୍ମୀ ବସ୍ ଯୋଜନା ଝୁଣ୍ଟିପଡିଛି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ ବାଟବଣା ହୋଇଛି । ଧାଡିକୁ ଧାଡି ଠିଆ ହୋଇ କୋଟି କୋଟି ଟଙ୍କାରେ କିଣାଯାଇଥିବା ଲକ୍ଷ୍ମୀ ବସ୍ । କୋରାପୁଟ ଜିଲ୍ଲାକୁ ୬୧ଟି ଲକ୍ଷ୍ମୀ ଆସିଥିଲା । ପ୍ରଥମେ ପ୍ରଥମେ ଗାଁରୁ ସହରକୁ ଗଡିଲା । କିନ୍ତୁ ସମୟ ଠିକ ଯିବା ଆସିବା କରୁନଥିବାରୁ ଯାତ୍ରୀ ହେଉନାହାନ୍ତି । ତେଣୁ ବସ୍ ଏବେ ଦୌଡୁଛି କମ୍ ଅଟକି ରହୁଛି ବେଶୀ ।

ନୂଆ ବସ, ଏବେ ବି ଚକ ଚକ କରୁଛି । ପଡି ରହିବାରୁ ଧୂଳି ଜମିବା ଆରମ୍ଭ ହେଲାଣି । କେତେକ ବସର ଚକ ଖୋଲି ଯାଇଛି, ଟାୟାର ନଷ୍ଟ ହୋଇ ଏଣେ ତେଣେ ପଡିଛି । କିଛି ବସର ସିଟ ଚିରି ଗଲାଣି । ମାତ୍ର ୪ ମାସ ତଳେ ରାୟଗଡାକୁ ଆସିଥିବା ଲକ୍ଷ୍ମୀ ବସ ଏବେ ବିପଦରେ ପଡିଛି । ରାସ୍ତାରେ ଗଡିବା ସ୍ଥିତିରେ ନାହିଁ । ଅନ୍ୟପଟେ ଓଏସ୍ଆରଟିସିର ରାୟଗଡା ଜିଲ୍ଲା ମ୍ୟାନେଜର କହିବା ହେଲା ବସର ପରମିଟ୍ ନଥିବାରୁ ଚଳାଚଳ କରୁନାହିଁ । କିନ୍ତୁ ସ୍ଥାନୀୟ ବାସିନ୍ଦା ଭିନ୍ନ କଥା କହୁଛନ୍ତି ।

ଲକ୍ଷ୍ମୀ ବସ ଭଳି ଲକ୍ଷ୍ମୀ ବସଷ୍ଟାଣ୍ଡ ବା ଯାତ୍ରୀ ଆଶ୍ରୟସ୍ଥଳର ମଧ୍ୟ ଦୁରାବସ୍ଥା । କେଉଁଠି ରକ୍ଷଣା ବେକ୍ଷଣା ହେଉନି ତ କେଉଁଠି ନିର୍ମାଣ ଅଧାରେ ଅଟକିଯାଇଛି । ସଠିକ ପରିଚାଳନା, ବସଚଳାଚଳ ପାଇଁ ସ୍ୱତନ୍ତ୍ର ରଣନୀତିର ଅଭାବ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଯୋଜନା ଅଚଳ ହେବାକୁ ବସିଛି ।