ଅପହୃତ କୋବ୍ରା କମାଣ୍ଡୋଙ୍କୁ ଛାଡିବା ପୂର୍ବରୁ କେମିତି ହୋଇଥିଲା ପ୍ରଜାକୋର୍ଟରେ ବିଚାର । ଶହଶହ ଲୋକଙ୍କ ଉପସ୍ଥିତିରେ ୪ ଘଂଟା ଧରି ମେଳି କରିଥିଲେ ମାଓବାଦୀ ।

ବିଚାର ପରେ ଯବାନ ରାକେଶ୍ୱର ସିଂ ମନହାସଙ୍କୁ ଛାଡିବାକୁ ହୋଇଥିଲା ନିଷ୍ପତ୍ତି

324

କନକ ବ୍ୟୁରୋ: ଗୁରୁବାର ଓଡିଶା ସୀମା ଛତିଶଗଡରେ ଯେଉଁ କଥା ସାମ୍ନାକୁ ଆସିଥିଲା । ତାହା ବଲିଉଡ ବା ହଲିଉଡ ସିନେମାର ଦୃଶ୍ୟ ଠାରୁ କମ ରୋଚକ ନଥିଲା । ଫିଲ୍ମର ଦୃଶ୍ୟ ଭଳି ସବୁକିଛି ଏଠାରେ ଘଟିଥିଲା । ଫିଲ୍ମ ପରଦା ବାହାରେ ଏଭଳି ଦୃଶ୍ୟକୁ ଦେଖିବା ସଭ୍ୟ ଗଣତନ୍ତ୍ର ପାଇଁ ଏକ ବଡ ବିଡମ୍ବନା ବୋଲି କୁହାଯାଇପାରେ ହେଲେ ତାହା ହିଁ ସତ ।

ବସ୍ତର ରେଂଜର ଘଂଚ ଜଙ୍ଗଲରେ ଦିନ ପ୍ରାୟ ୧୨ଟା ବେଳେ ମାଓବାଦୀଙ୍କ ଡାକରା ପାଇ ଏକାଠି ହୋଇଥିଲେ ଶହ ଶହ ଗ୍ରାମବାସୀ । ଆଉ ଆରମ୍ଭ ହୋଇଥିଲା ପ୍ରଜାକୋର୍ଟ । ଏହି ପ୍ରଜାକୋର୍ଟରେ ସାମିଲ ହୋଇଥିଲେ ମଧ୍ୟସ୍ଥ ଭୂମିକା ତୁଲାଉଥିବା ପ୍ରଦ୍ମଶ୍ରୀ ଧର୍ମପାଲ ସଇନି ଓ ଗଣ୍ଡାବାନା ସମାଜର ଅଧ୍ୟକ୍ଷ ଏନ.ଏମ ବରେୟା ସମେତ ୪ଜଣ ଓ ଅନ୍ୟ ୭ଜଣ ସ୍ଥାନୀୟ ସାମ୍ବାଦିକ । କିଛି ସମୟ ପରେ ପ୍ରଜାକୋର୍ଟରେ ବନ୍ଦୀ ଅବସ୍ଥାରେ ରାକେଶ୍ୱରଙ୍କୁ ହାଜର କରିଥିଲେ ମାଓବାଦୀ । ତାପରେ ପ୍ରଜାକୋର୍ଟରେ ସାମିଲ ହୋଇଥିବା ଶହ ଶହ ଲୋକଙ୍କୁ ଭାଷଣ ଦେଇଥିଲେ ମାଓନେତା ।

ଏହି ସମୟରେ ମତ ରଖିଥିଲେ ସାମିଲ ହୋଇଥିବା କିଛି ସ୍ଥାନୀୟ ଲୋକେ । ଦୀର୍ଘ ୪ ଘଂଟା ଧରି ଜଙ୍ଗଲ ଭିତରେ ଚାଲିଥିଲା ଆଲୋଚନା । ଆଲୋଚନାବେଳେ ସ୍ଥାନୀୟ ଲୋକ ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କୁ ନଛାଡିବା ପାଇଁ କହିଥିଲେ । କୁହାଯାଉଛି, ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ଉପରେ ପୋଲିସର ଜୁଲମ ଯୋଗୁଁ ଯବାନଙ୍କୁ ନଛାଡିବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ ।

ଏହି ସମୟରେ ରାକେଶ୍ୱରଙ୍କ ମୁକ୍ତିପାଇଁ ତାଙ୍କ ପତ୍ନି ଓ କୁନି ଝିଅ କରିଥିବା କାକୁତି ମିନତିର ଏକ ଭିଡିଓ ମାଓବାଦୀଙ୍କୁ ଦେଖାଇଥିଲେ ମଧ୍ୟସ୍ଥିି । ଆଉ ରାକେଶ୍ୱରଙ୍କୁ ଛାଡି ଦେବା ପାଇଁ ମଧ୍ୟସ୍ଥିମାନେ ଅନୁରୋଧ କରିଥିଲେ । ମଧ୍ୟସ୍ଥିଙ୍କ ଅନୁରୋଧ, ରାକେଶଙ୍କ ପରିବାରର ବିନତିର ଭିଡିଓ ଦେଖିବା ପରେ ରାକେଶ୍ୱରଙ୍କୁ ନିସର୍ତ୍ତ ଭାବେ ଛାଡିବାକୁ ନିଷ୍ପତି ନେଇଥିଲେ ମାଓବାଦୀ । କିନ୍ତୁ କହିଥିଲେ, ଆମେ ଯେପରି ଢଙ୍ଗରେ ଯବାନ ରାକେଶ୍ୱର ସିଂହୁକୁ ଛାଡୁଛୁ ଯଦି ପୋଲିସ ହୋଇଥାନ୍ତା ତା ହେଲେ ଏହି କାମ କରିନଥାନ୍ତା । ବରଂ ଆମ ଲୋକଙ୍କୁ ଗୁଳି କରି ମାରିଥାନ୍ତା ।