କେମିତି ଗୋପାଳ ମାରିଥିଲା ମନ୍ତ୍ରୀଙ୍କୁ ଗୁଳି? ପୂରା ଘଟଣାର ହେଲା ସିନ୍ ରିକ୍ରିଏସନ୍ । କ୍ରାଇମସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ ।

247

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କେମିତି ମାରିଲା? କ୍ରାଇମସ୍ପଟରେ ସେଦିନ କଣ ଘଟିଥିଲା? ସେ ନେଇ ପୂରା ଘଟଣାର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମସ୍ପଟକୁ ଗୋପାଳକୁ ନେବା ସହିତ ସେଠାରେ ପୂରା ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଏହି ସିନ୍ ରିକ୍ରିଏସନ୍ ବେଳେ ଗୋପାଳ ପୂରା ହତ୍ୟାକାଣ୍ଡର ଡେମୋ ଦେଖାଇଛି ।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସର କଡା ସୁରକ୍ଷା ଭିତରେ ଘଟଣାସ୍ଥଳରେ ପହଞ୍ଚି କେମିତି ଗୁଳି ଚଳାଇଥିଲା ସେନେଇ ଡେମୋ ଦେଖାଇଛି ଗୋପାଳ । ଆଉ ଏହି ପୁରା ଘଟଣାକୁ ଡ୍ରୋନ୍ କ୍ୟାମେରା କଏଦ କରୁଛି । ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

ଏବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛନ୍ତିି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଉଥିବା ଜଣାଯାଇଛି । ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି । ଏହାର ଉଦ୍ଦେଶ୍ୟ ଜଣାପଡ଼ୁନଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମଧ୍ୟ କିଛି କହୁନାହାନ୍ତି ।