ଲଘୁଚାପ ପ୍ରଭାବ : ୧୧ ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

663

କନକ ବ୍ୟୁରୋ : ଘନୀଭୂତ ହେଉଛି ଲଘୁଚାପ । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଂଜ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, କନ୍ଧମାଳ, ଗଜପତି, ରାୟଗଡ଼ା କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ, ମାଲକାନଗିରି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢ଼େଙ୍କାନାଳ,ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ।

ସେହିପରି ଆଜି ସକାଳ ସାଢ଼େ ୮ଟା ଯାଏଁ କଳାହାଣ୍ଡି, ରାୟଗଡ଼ା ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧିର ଆଶଙ୍କା ରହିଛି । ବିଶେଷ କରି ଋଷିକୁଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ଫୁଲିବାର ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଲଘୁଚାପ ପ୍ରଭାବରେ କନ୍ଧମାଳରେ ଗତକାଲିଠୁ ଜାରି ରହିଛି ଲଗାଣ ବର୍ଷା । ବାଲିଗୁଡା ଉପଖଣ୍ଡର କ.ନୂଆ ଗାଁ ଦେଇ ବୋହି ଯାଇଥିବା ପେନୁ ନଦୀ ଫୁଲିବାରେ ଲାଗିଛି । ଆଜି ବିରିନ୍ଦାପଡା ନିକଟରେ ପେନୁଆ ନଦୀରେ ବର୍ଷା ପାଣି ନଦୀର ଦୁଇ କୂଳ ଖାଇ ମାଡିଆସିବାରୁ ଚାହୁଁ ଚାହୁଁ କାଠ ପୋଲକୁ ଭସେଇ ନେଇଛି । ପାଣିର ପ୍ରଖର ସ୍ରୋତରେ କାଠ ପୋଲ ଭାସି ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି କାଠପୋଲକୁ ଦୁଇଟି ଏନଜିଓ ସଂସ୍ଥାର ସହାୟତାରେ ସ୍ଥାନୀୟ ଲୋକେ ତିଆରି କରିଥିଲେ । ହେଲେ ବର୍ଷା ପାଣି ପୋଲକୁ ଭସେଇ ନେବାରୁ ବିରିନ୍ଦାପଡା ସମେତ ବାନ୍ଦାବାଜୁ, ଜାବ୍ରାକେତା ଓ କାଣ୍ଡ୍ରିକୁଟି ଗାଁକୁ ଯାତାୟତ ବନ୍ଦ ହୋଇଯାଇଛି ।