ଉତ୍ତରପ୍ରଦେଶ ହାଥରସ୍ ସତସଙ୍ଗ କେନ୍ଦ୍ରରେ ଦଳାଚକଟା । ୬୦ରୁ ଅଧିକ ମୃତ୍ୟୁ ନେଇ ପ୍ରଶାସନର ସୂଚନା । 

300

କନକ ବ୍ୟୁରୋ: ୟୁପି ହାଥରସରେ ଘଟିଥିବା ଦଳଚକଟାରେ ବଢୁଛି ମୃତ୍ୟୁ ସଂଖ୍ୟା, ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ରୁ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ । ଉତ୍ତରପ୍ରଦେଶ ହାଥରସ ସିକନ୍ଦରାବାଦ ଫୁଲେରା ଗାଁରେ ଭୋଲେ ବାବାଙ୍କ ସତସଙ୍ଗ୍ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସତସଙ୍ଗ କାର୍ଯ୍ୟକ୍ରମରେ ଭିଡ଼ ହେବା ଫଳରେ ଶ୍ରଦ୍ଧାଳୁ ମାନେ ଏଣେ ତେଣେ ଦୌଡିଥିଲେ । ଫଳରେ ଏତେବଡ଼ ଅଘଟଣ ଘଟିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପାଇଁ ୨ଲକ୍ଷ ଓ ଆହତ ମାନଙ୍କ ପାଇଁ ୫୦ ହଜାର ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଘଟଣା ଉପରେ ନଜର ରଖିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ।

ତେବେ କେମିତି ଓ କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ଏହାର ଯାଞ୍ଚ କରିବାକୁ ଏଡିଜି ଆଗ୍ରା ଓ ଆଲିଗଡ଼ ପୋଲିସ କମିଶନରଙ୍କୁ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମ ଆୟୋଜକଙ୍କ ଉପରେ ବିରୋଧରେ ମାମଲା ରୁଜୁ କରିବା ସହ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ବଡ଼ ଅଘଟଣକୁ ନେଇ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଦୁଃଖ ପ୍ରକାଶ କରିଥିବା ବେଳେ ସଂସଦରେ ନିଜ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରିଛନ୍ତି ।