ହାଟଡିହିର ହଦଗଡ ଡ୍ୟାମରେ ପଡିଛି ତାଲା: ସ୍ଥାନୀୟ ଲୋକଙ୍କଠାରୁ ନେଇ ପର୍ଯ୍ୟଟକଙ୍କୁ ହୋଇଛି ମନା

161

କନକ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ହଦଗଡ଼ ଡ୍ୟାମ ରେ ଏବେ ପଡିଛି ତାଲା । ପର୍ଯ୍ୟଟକଙ୍କୁ ପରିଦର୍ଶନ ମନା ଯାହାକୁ ନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ। ଡ୍ୟାମର ଭିତର ପାର୍ଶ୍ୱରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ଡ୍ୟାମ ରାସ୍ତାରେ ଯାତାୟାତ ମନା । ଯାହାକୁ ନେଇ ପର୍ଯ୍ୟଟକଙ୍କମଧ୍ୟରେ ଅସନ୍ତୋଷ ସହିତ ଗ୍ରାମବାସୀଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ ।

ପର୍ଯ୍ୟଟକଙ୍କ ପାଇଁ ଏବେ ହଦଗଡ ଡ୍ୟାମ୍ ବନ୍ଦ କରାଯାଇଛି । ଗେଟରେ ତାଲା ପକାଯାଇ ପର୍ଯ୍ୟଟକ ମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ା ଯାଉନି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହଦଗଡ଼ ଡ୍ୟାମ ବୁଲିବାକୁ ପ୍ରତିଦିନ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ପର୍ଯ୍ୟଟକ ମାନେ ଡ୍ୟାମ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମର ନୀଳ ଜଳରାଶିକୁ ଉପଭୋଗ କରିଥାନ୍ତି। ଯେଉଁ ମାନେ ଭୋଜିଭାତ କରିଥାନ୍ତି ସେମାନେ ଡ୍ୟାମ ତଳେ ନଦୀ କୂଳରେ ଭୋଜି କରିଥାନ୍ତି। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ଚଳିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀ ମାନେ ଭଲ ଦିପଇସା ବେପାର କରିଥାନ୍ତି। କିନ୍ତୁ ସବୁଥିରେ ଏବେ ରୋକ ଲାଗିବା ପରେ ଅସନ୍ତୋଷ ଦେଖିବାକୁ ମିଳିଛି ।

କିଛି ଛାତ୍ର ଡ୍ୟାମ ବୁଲିବାକୁ ଆସିଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଯାଇଥିଲା । ସେହି ଦିନଠାରୁ ଜଳସେଚନ ବିଭାଗ ଏହି ଡ୍ୟାମକୁ ଚାବି ପକାଇ ବନ୍ଦ କରିଦେଇଛନ୍ତି। ନଦୀବନ୍ଧର ଅପର ପାଖରେ ରହୁଥିବା ଲୋକେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ ମତ ଗାଇଡ଼ ଲାଇନ ଅନୁଯାୟୀ ଡ୍ୟାମ ବନ୍ଦ କରାଯାଇଛି ଓ ବିଭାଗୀୟ ଆଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ। ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକ ମାନେ ମଧ୍ୟ ପ୍ରଭାତିତ ହେଉଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ସମାଧାନ ବାହାର କରିବା ଜରୁରୀ ହୋଇପଡିଛି ।