ରାଜ୍ୟରେ ଅଛନ୍ତି ହ୍ୟାଣ୍ଡ, ଫୁଟ୍ ଓ ମାଉଥ ଡିଜିଜ୍ ରୋଗୀ : ଆରଏମଆରସିକୁ ପଠାଯାଇଥିବା ୩୬ଟି ନମୂନାରୁ ୨୬ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲରୁ ୨୪, ଏସସିବି ମେଡିକାଲରୁ ଅଛନ୍ତି ୨ ଜଣ; ଟମାଟୋ ଫ୍ଲୁ ସହ କୌଣସି ସମ୍ପର୍କ ନଥିବା ସୂଚନା

106

କନକ ବ୍ୟୁରୋ : ଓଡ଼ିଶାରେ ଚିହ୍ନଟ ହେଲା ଏଚଏଫଏମଡି ବା ହ୍ୟାଣ୍ଡ, ଫୁଟ୍ ଓ ମାଉଥ୍ ଡିଜିଜ୍ ରୋଗ । ଏ ନେଇ ସୂଚନା ଦେଇଛି ରାଜ୍ୟ ସରକାର । ରାଜ୍ୟର ୩୬ଟି ନମୁନାକୁ ଆରଏମଆରସିକୁ ପଠାଯାଇଥିଲା । ଯେଉଁଥିରୁ ୨୬ଜଣ ଶିଶୁ ଏଚଏଫଏମଡି ରୋଗରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ତେବେ ଏହି ରୋଗ ସହ ଟମାଟୋ ଫ୍ଲୁ’ର କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୨୬ ଆକ୍ରାନ୍ତଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ୱରରୁ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏମାନଙ୍କ ବୟସ ୯ମାସରୁ ୯ ବର୍ଷ ମଧ୍ୟରେ ହୋଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେନେଇ କୌଣସି ସୂଚନା ମିଳିପାରିନାହିଁ । ରାଜ୍ୟରେ କିଛି ଶିଶୁ ଏଚଏଫଏମଡି ରୋଗରେ ଆକ୍ରାନ୍ତ ଥିବା ବିଭିନ୍ନ ହସ୍ପିଟାଲରୁ ସୂଚନା ମିଳିଥିଲା । ବିଶେଷକରି କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ୫ରୁ ୬ ଜଣ ଏଭଳି ଆକ୍ରାନ୍ତ ଚିକିତ୍ସା ପାଇଁ ଆସୁଥିବା ନେଇ ସୂଚନା ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ସର୍ତକତାମୂଳକ ପଦକ୍ଷେପ ନେଇଥିଲା ।

ଟମାଟୋ ଫ୍ଲୁ’ ସହ ଏଚଏଫଏମଡି ରୋଗର କ’ଣ ସାମଞ୍ଜସ୍ୟ ରହିଛି, ତାହା ଜାଣିବା ପାଇଁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କିଛି ବିଶେଷଜ୍ଞମାନଙ୍କ ମତ ଲୋଡ଼ାଯାଇଥିଲା । ଏନେଇ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଥିଲା । ଯାହାପରେ ଏଚଏଫଏମଡି ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସ୍ୱାବ, ମଳ କିମ୍ବା ଫୋଟକା ସ୍ଥାନର ପାଣି କିମ୍ବା ଖୋଳପାକୁ ଆରଏମଆରସିକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।