ନଦୀ ବନ୍ଧ ପାଇଁ ବଢୁଛି ଚିନ୍ତା: ମରାମତି ଅଭାବରୁ ଦବିଲାଣି ବନ୍ଧ, ସଂଯୋଗ ରାସ୍ତା ବି ଫାଟି ଆଁ କରିଛି

52

କନକ ବ୍ୟୁରୋ: ଅସୁରକ୍ଷିତ ନଦୀ ବନ୍ଧ ଯୋଗୁ ବଢୁଛି ଚିନ୍ତା । ଚିନ୍ତାରେ ପଡିଛନ୍ତି କଣାସ ଅଂଚଳର ୯ଟି ପଂଚାୟତର ଲୋକମାନେ। ନଦୀ ବନ୍ଧ ରାସ୍ତା ଫାଟି ଯିବା ଆସିବାରେ ଅନେକ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ସେପଟେ କଂକ୍ରିଟ ଉପରେ ପିଚୁରେ ପ୍ୟାଚ୍ ପକାଇ ଲୁଚାଇବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଏହି ନଦୀ ବନ୍ଧ ହେଉଛି କଣାସ ଅଂଚଳବାସୀଙ୍କ ରକ୍ଷା କବଚ । ବର୍ଷା ଦିନ ଆସିଯାଇଥିବା ବେଳେ ନଦୀରେ ପାଣି ମଧ୍ୟ ବଢୁଛି । ସେପଟେ ରାସ୍ତା ଫାଟି ଆଁ କରିଥିବାରୁ ଯିବା ଆସିବାରେ ଅନେକ ସମସ୍ୟା ଉପୁଜିଛି । ନୂଆ ଜଗନ୍ନାଥ ସଡ଼କରୁ ସଂଯୁକ୍ତ ହାଟ ପଜାର ପର୍ଯ୍ୟନ୍ତ ନଦୀ ବନ୍ଧ ଦବିବା ସହିତ ଫାଟି ଆଁ କରିଛି । ଏଠାରେ ପୁଣି ମରାମତି କାମ ନାଁରେ ପ୍ୟାଚ୍ ପକାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଲୋକ ମାନେ । ସରକାରଙ୍କ ଦସ୍ତାବିଜରେ ନଦି ବନ୍ଧ ପାର୍ଶ୍ବରେ ପଥର କ୍ୟାଚିଂ ଓ ୱାଲ ନିର୍ମାଣ କରାଯାଇଥିବା ଦର୍ଶାଯାଇଛି। ହେଲେ ବିନା ୱାଲ ଓ ପଥା ପ୍ୟାଚିଂରେ ବନ୍ଧ କିଭଳି ଓ କେବେ ହେଲା ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ?

ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ବନ୍ୟା ପ୍ରଭାବିତ ହେବେ କଣାସ ର ୧୫ ରୁ ୨୦ ପଞ୍ଚାୟତ ବା ୧୦୦ରୁ ଉର୍ଦ୍ଧ୍ବ ଗାଁ । ଏପଟେ ନଦୀ କୂଳରେ ରହୁଥିବା ଗ୍ରାମବାସିଙ୍କ ଅଭିଯୋଗ ଯଦି ବନ୍ୟା ପାଣି ବନ୍ଧ ଭାଙ୍ଗି ଆସେ ଆମେ ସିଧା ଯାଇ ଚିଲିକାରେ ଲାଗିବୁ! ପ୍ରତି ବର୍ଷ ରାସ୍ତା ମରାମତି ନାମରେ ବନ୍ଧକୁ ବାରମ୍ବାର ଖୋଳିବା ଦ୍ୱାରା ବନ୍ୟା ସମୟରେ ନଦୀ ବନ୍ଧ ରେ ୮ ରୁ ୯ ଟି ସ୍ଥାନରେ ଘଳିଆ ପଡୁଛି । ପ୍ରତେକ ବର୍ଷ ଏହି ଭଳି ନିମ୍ନ ମାନର କାର୍ଯ୍ୟ କରି ଯନ୍ତ୍ରୀ ଓ ଅଧିକାରୀ ମାନେ ସରକାରୀ ରାଜ କୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ସତ କିନ୍ତୁ କାର୍ଯ୍ୟ ହେଉଛି ନିମ୍ନ ମାନର । ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି । ସେପଟେ ଘଟଣା ଉପରେ ପୁରା ନଜର ରହିଥିବା ବେଳେ ଖୁବଶୀଘ୍ର ମରାମତି ହେବ ବୋଲି ମିଳିଛି ପ୍ରତିଶ୍ରୁତି ।

ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ବର୍ଷା ସମୟରେ କେବେ ରାସ୍ତା ମରାମତି ହେବ ଓ କେବେ ନଦୀ ବନ୍ଧର କାର୍ୟ୍ୟ ସମ୍ପୁର୍ଣ୍ଣ ହେବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଗାଁର ଳୋକମାନେ ।