ଚର୍ଚ୍ଚାରେ‘ଗୁଗୁଲ୍ ଗୋଲ୍ଡେନ୍ ବାବା’ । ମୁହଁରେ ସୁନାର ମାସ୍କ, ପାଦରେ ପିନ୍ଧୁଛନ୍ତି ରୂପାର ଜୋତା

230

କନକ ବ୍ୟୁରୋ: ଆପଣ ସୁନାରେ ଛାଉଣୀ କିଛି ଲୋକଙ୍କୁ ପୂର୍ବରୁ ସୋସିଆଲ ମିଡିଆରେ ଦେଖିଥିବେ । ହେଲେ ଜଣେ ବାବା ବୋଲାଉଥିବା ବ୍ୟକ୍ତି ସୁନାରେ ଛାଉଣୀ ହେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏମିତି ଜଣେ ବାବା ହେଉଛନ୍ତି ୟୁପି କାନପୁରର ‘ ଗୁଗୁଲ୍ ଗୋଲ୍ଡେନ୍ ବାବା’ ।
ଭରା ଭରା ସୁନା ପିନ୍ଧୁଥିବା ମ୍ୟୁଜିକ୍ ଡାଇରେକ୍ଟର ବାପୀ ଲାହେରୀଙ୍କ ସୁନାଠାରୁ ବି ଅଧିକ ସୁନା ଏହି ବାବାଙ୍କ ପାଖରେ । ବାସ୍ତବରେ କାନପୁରର କାକାଦେବରେ ରହୁଥିବା ମନୋଜ ସେଙ୍ଗର ଗୁଗୁଲ ଗୋଲ୍ଡେନ ବାବା ନାମରେ ଜଣାଶୁଣା । ସୁନା ପ୍ରତି ତାଙ୍କର ଅହେତୁକ ଆସକ୍ତି ହେତୁ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ମୁହଁରେ କରୋନାଠାରୁ ସୁରକ୍ଷା ପାଇଁ ପିନ୍ଧୁଛନ୍ତି ସୁନାର ମାସ୍କ, ଏହାର ଦାମ ୫ଲକ୍ଷରୁ ଅଧିକ । ଏହି ଥ୍ରୀ ଲେୟାର ମାସ୍କ ୩ ବର୍ଷ ପାଇଁ ସୁରକ୍ଷା ଦେବ ।

ବେକରେ ଦଉଡି ଭଳି ଚେନ୍, ତା ସାଙ୍ଗକୁ ସୁନାର ମୋଟାମୋଟା ଡଉଁରିଆ, ହାତରେ ସୁନାର ବଳା ସାଙ୍ଗକୁ ସୁନାର ଗେଣ୍ଡାଳିଆ ମୁଦି । ଖାଲି ଏତିକି ନୁହେଁ ପାଦରେ ରୂପାର ଜୋତା, ଯାହାର ଓଜନ ୪.୫ କେଜି । ବାବା ହୋଇ ବି ସୁନା ଅଳଙ୍କାର ପ୍ରତି ଏତେ ଲୋଭ ଯୋଗୁଁ ସବୁବେଳେ ସମାଲୋଚନାର ଶିକାର ହୋଇ ଆସୁଛନ୍ତି ଗୁଗୁଲ ବାବା । ହେଲେ ଲୋକଙ୍କ ସମାଲୋଚନାକୁ ତାଙ୍କର ନିଘା ନାହିଁ ବରଂ ସେ କୁହନ୍ତି ଯେ, ପୂର୍ବରୁ କ୍ଷତ୍ରିୟମାନେ ସୁନା ପିନ୍ଧିଆସୁଛନ୍ତି। ସେ ମଧ୍ୟ ତାଙ୍କର ପୂର୍ବପୁରୁଷଙ୍କ ପରି ସୁନା ପିନ୍ଧୁଛି ।

ଗୁଗୁଲ୍ ଗୋଲ୍ଡେନ୍ ବାବା ସର୍ବଦା ପ୍ରାୟ ୪ କିଲୋଗ୍ରାମ ସୁନା ପିନ୍ଧନ୍ତି । ଏଥିରେ ୨୬୧ ଗ୍ରାମ ଶଙ୍ଖ, ୧୦୧ ଗ୍ରାମ ମାସ୍କ, ଶିବ କାଭାଚ, ଦୁର୍ଗା ମା’ଙ୍କ ଚିତ୍ର, ମାଛ ଇତ୍ୟାଦି ରହିଛି । ଏହା ବ୍ୟତୀତ ସେ ସବୁବେଳେ ସୁନାରେ ନିର୍ମିିତ ଲଡୁ ଗୋପାଳଙ୍କୁ ନିଜ ସହ ରଖିଥାନ୍ତି । ଯୁଆଡେ ଗଲେ ଠାକୁରଙ୍କ ଏହି ସବର୍ଣ୍ଣ ପ୍ରତୀମାକୁ ନିଜ ସହ ନେଇ ଯାନ୍ତି । ଏହା ପୂର୍ବରୁ ସେ ତାଙ୍କ ରିଭଲଭର ପାଇଁ ଏକ ସୁନା ଆବରଣ ମଧ୍ୟ କରିଥିଲେ ଯାହା ଆଲୋଚନାର ବିଷୟ ପାଲଟିଥିଲା ।
ସୁନା ପ୍ରତି ଗୁଗୁଲ୍ ଗୋଲ୍ଡେନ୍ ବାବାଙ୍କ ଆସକ୍ତି ତାଙ୍କ ପାଇଁ ଅନେକ ଥର ସମସ୍ୟା ସୃଷ୍ଟି କରିଛି । ତାଙ୍କୁ ଅନେକ ଥର ଆକ୍ରମଣ ଚେଷ୍ଟା କରାଯିବା ସହ ତାଙ୍କୁ ଅନେକ ଥର ଧମକ ଦିଆଯାଇଛି, ପୂର୍ବରୁ ସେ ପାଦରେ ବି ସୁନା ପିନ୍ଧୁଥିବାରୁ ଅନେକ ଥର ଦୁର୍ବୃତ୍ତଙ୍କ ଟାର୍ଗେଟରେ ମଧ୍ୟ ରହିଆସିଛନ୍ତି ବାବା ମନୋଜ ସେଙ୍ଗର । ତାଙ୍କୁ ଅପରାଧୀଙ୍କ ଠାରୁ ବିପଦ ଥିବାରୁ ସେ ଖୁବ୍ ଶିଘ୍ର ଏକ ସୁନାର କବଚ ତିଆରି କରି ପିନ୍ଧିବେ ବୋଲି କହିଛନ୍ତି ।

ଆମ ଦେଶରେ ଆହୁରି ଅନେକ ସୁନା ପ୍ରେମୀ ଅଛନ୍ତି, ଯେଉଁମାନେ ସର୍ବଦା ଅନେକ କିଲୋ ସୁନା ପିନ୍ଧି ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରର ସନ୍ନି ୱାଘଚୌର ଯିଏ ଜୋତାଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ସବୁଥିରେ ସୁନା ବ୍ୟବହାର କରନ୍ତି । ଆଉ ଜଣେ ହେଉଛନ୍ତି ଦତ୍ତା ପଗେଙ୍କ ଯିଏ ୩.୫ କିଲୋର ସୁନା ସାର୍ଟ ପିନ୍ଧନ୍ତି । ଗିନିଜବୁକରେ ତାଙ୍କର ସୁନା ସାର୍ଟ ମଧ୍ୟ ରେକର୍ଡ କରାଯାଇଛି ।