ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଘୋଷଣା

2,706

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ରୋଷେଇ ଗ୍ୟାସର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ଫଳରେ ଏହାକୁ ନେଇ ବି ରାଜନୈତିକ ଦଳମାନେ ସେମାନଙ୍କର ରାଜନୀତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟର ପ୍ରତିଟି ପରିବାରକୁ ବାର୍ଷିକ ୩ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ । ସୋମବାର ଦିନ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ନେବାପରେ ଏଭଳି ଘୋଷଣା କରିଛନ୍ତି । କହିରଖୁ କି ରାଜ୍ୟ ବିଜେପି ତରଫରୁ ବିଧାନସଭା ନିର୍ବାଚନ ବେଳେ ରାଜ୍ୟବାସୀଙ୍କୁ ବାର୍ଷିକ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସୋମବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥ ନେବା ପରେ ପ୍ରମୋଦ ସାୱନ୍ତ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି କି, ଶପଥ ନେବା ପରେ ପ୍ରଥମ ବୈଠକରେ ବିଜେପି ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି (ମାଗଣା ଗ୍ୟାସ ସିଲିଣ୍ଡର) ପୂରଣ କରିବା ଦିଗରେ ପଦକ୍ଷେପ ନେଇଛି । ଏହି କ୍ରମରେ ରାଜ୍ୟର ପ୍ରତି ପରିବାରକୁ ବର୍ଷକୁ ୩ ଟି ଗ୍ୟାସ ସିଲିଣ୍ଡର ମାଗଣା ଯୋଗାଇ ଦିଆଯିବ ।

କହିରଖୁ କି ୨୦୧୯ ରେ ହଠାତ ଗୋଆର ମୁଖ୍ୟମନ୍ତ୍ରୀ ଥିବା ମନୋହର ପାରିକରଙ୍କ ଦେହାନ୍ତ ପରେ ଦଳ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ହେଲେ ଚଳିତ ବିଧାନସଭା ନିର୍ବାଚନରେ ଦଳ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଦଳ ରାଜ୍ୟର ବଡପାର୍ଟି ଭାବେ ଉଭା ହୋଇଛି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିକୁ ୨୦ ଟି ଆସନ ମିଳିଥିବାରୁ ଏବେ ସେଠାରେ ବିଜେପି ସରକାର ଗଠନ କରିଛି ।