ଗୋଟିଏ ଘର : ଏପଟେ ଆଲ୍ଲା ସେପଟେ ଈଶ୍ୱର; ୨ବନ୍ଧୁ ଦେଲେ ଭାଇଚାରାର ବାର୍ତ୍ତା

424

କନକ ବ୍ୟୁରୋ : ଧର୍ମକୁ ନେଇ ଅନେକ ସମୟରେ ରାଜନୀତି ଦେଖିବାକୁ ମିଳେ । ଆଉ ପରବର୍ତ୍ତୀ ସମୟରେ ଏହା ହିଂସାର ମଧ୍ୟ ରୂପ ନେଇଥିବାର ନଜିର ଆସିଛି । କିନ୍ତୁ ଜୟପୁରର ଦୁଇ ବନ୍ଧୁ ଧର୍ମକୁ ପଛରେ ପକାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ବଡ଼ ଉଦାହରଣ । ସେମାନେ ହେଉଛନ୍ତି ରାକେଶ ଓ ସହିଦ୍ ଫିରୋଜ । ଜୟପୁର ପାରାବେଡ଼ା ଅଞ୍ଚଳର ରାକେଶ ଜଣେ ନୈଷ୍ଟିକ ବ୍ରାହ୍ମଣ ହୋଇଥିବା ବେଳେ ଫିରୋଜ ମୁସଲିମ୍ ।

ଯେଉଁଠି ଗୋଟିଏ ଛାତ ତଳେ ୨ ଭାଇ ଏକାଠି ରହିପାରୁନାହାନ୍ତି, ସେଠାରେ ଏହି ଦୁଇ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ବନ୍ଧୁ ଅନ୍ୟମାନଙ୍କୁ ଦେଉଛନ୍ତି ପ୍ରେରଣା । ବଡ଼ କଥା ହେଉଛି ଦୁଇ ବନ୍ଧୁ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ବି ମିଳି ମିଶି ପୂଜା କରନ୍ତି । ଜଣେ ମା’ ଦୁର୍ଗାକୁ ପୂଜା କରୁଥିବା ବେଳେ ଆଉ ଜଣେ ଆଲ୍ଲାକୁ ପୂଜା କରୁଛନ୍ତି । ରାକେଶ ଯଦି ଅନୁପସ୍ଥିତ ରୁହନ୍ତି ତାହାହେଲେ ଫିରୋଜ ପୂଜା କରନ୍ତି । ଯଦି ଫିରୋଜ ଅନୁପସ୍ଥିତ ରୁହନ୍ତି ତାହା ହେଲେ ରାକେଶ ପୂଜା କରନ୍ତି । ୨୦୧୬ ମସିହାରେ ଏମାନଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । ଫିରୋଜଙ୍କ ଏକ ଛୋଟିଆ ଦୋକାନ ରହିଥିଲା ।

ସେଠାକୁ ରାକେଶ ସାମଗ୍ରୀ କିଣିବାକୁ ଯାଆନ୍ତି । ଏହାରି ଭିତରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା ଏବଂ ଦୁହେଁ ମିଶି ଏକ ବ୍ୟବସାୟ କରିବାକୁ ସ୍ଥିର କରିଥିଲେ । ପରେ ଏହି ବନ୍ଧୁତା ଏକ ବଡ଼ ବ୍ୟବସାୟ ଆଡ଼କୁ ଟାଣି ନେଇଛି । ସେମାନେ କେବଳ ବ୍ୟବସାୟରେ ସୀମିତ ରୁହନ୍ତି ନାହିଁ । ଉଭୟଙ୍କ ସୁଖ ଦୁଖରେ ମଧ୍ୟ ଛିଡ଼ା ହୁଅନ୍ତି । ଉଭୟ ୫ ବର୍ଷ ହେଲା ହାର୍ଡୱେୟାର ବ୍ୟବସାୟ କରିଆସୁଛନ୍ତି । ଦୁହେଁ ସେମାନଙ୍କର ବ୍ୟବସାୟକୁ ଆଗକୁ ନେବାରେ ମଧ୍ୟ ସଫଳ ହୋଇଛନ୍ତି ।