ଜାତୀୟ ରାଜପଥରେ ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତି ସମୟରେ ଡ୍ରାଇଭରଙ୍କୁ ମାଗଣାରେ ଚା’ ଦେବେ ରାଜ୍ୟ ସରକାର ।

390

କନକ ବ୍ୟୁରୋ: ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତିରେ ଜାତୀୟ ରାଜପଥରେ ଟ୍ରକ୍, ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତାଙ୍କ କହିବା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇ ଦିଆଯିବ । ରାସ୍ତାକଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ । ଖାଲି ସେତିକି ନୁହେଁ, ଏହି ହୋଟେଲ ଏବଂ ଢାବାରେ ଡ୍ରାଇଭରମାନେ ଚା’ ପିଇବା ସହିତ ବିଶ୍ରାମ ମଧ୍ୟ ନେଇପାରିବେ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଜାତୀୟ ରାଜପଥରେ ଥିବା କେଉଁ କେଉଁ ହୋଟେଲ ଏବଂ ଢାବାରେ ଡ୍ରାଇଭରଙ୍କ ପାଇଁ ମାଗଣା ଚା’ ଉପଲବ୍ଧ ରହିବ ସେ ନେଇ ଜିଲ୍ଲାପାଳ ହୋଟେଲ ଏବଂ ଢାବା ଚିହ୍ନଟ କରିବେ ବୋଲି କୁହାଯାଇଛି । ରାତିରେ ଅଧିକାଂଶ ସମୟରେ ନିଦ ଆସିବା କାରଣରୁ ଦୁର୍ଘଟଣା ଘଟିଥାଏ । ଭାରିଯାନ ଚାଳକମାନେ ଅନିଦ୍ରା ରହିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ । ତେଣୁ ଦୁର୍ଘଟଣା ସମସ୍ୟାକୁ ଏଡାଇବାକୁ ଯାଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।