ଦମ୍ପତ୍ତିଙ୍କ ନିଆରା ଉଦ୍ୟମ: ଶିକ୍ଷିତ ସମାଜ ଗଠନ ପାଇଁ ଖୋଲିଛନ୍ତି ନିଶୁଳ୍କ ଶିକ୍ଷା କେନ୍ଦ୍ର, ବସ୍ତି ପିଲାଙ୍କ ଭରସା ଜୁନାଗଡର ଜ୍ୟୋତି ଗୁରୁମା’

105

କନକ ବ୍ୟୁରୋ: ଆଜିକା ଦିନରେ ଶିକ୍ଷା ଏକ ମୁଖ୍ୟ ବ୍ୟବସାୟ ପାଲଟି ଥିବା ବେଳେ ଏକ ସୁସ୍ଥ ଶିକ୍ଷିତ ସମାଜ ଗଠନ ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆଗଭର ହୋଇପଡିଛନ୍ତି। ଜୁନାଗଡ଼ ସହରର ଗଳିକନ୍ଦି ବସ୍ତିରେ ଥିବା ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ଜ୍ୟୋତି ଗୁରୁମା ।

ସୀତାରାଣୀ ସାହୁ। କିନ୍ତୁ ଜ୍ୟୋତି ଗୁରୁମା ନାମରେ ବେଶ ପରିଚିତ। ଆଧାରୁ ପାଠ ଛାଡିଥିବା ପିଲାଙ୍କ ଘରକୁ ଯାଇ ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଜ୍ୟୋତି ଗୁରୁମା । କଳାହାଣ୍ଡି ଜୁନାଗଡ଼ ସହରର ଜ୍ୟୋତି ଗୁରୁମା, ୨୦୨୨ ନଭେମ୍ବରରୁ ନିଜ ବାସଭବନରେ ସ୍ୱାଗତ ନିଶୁଳ୍କ ଶିକ୍ଷାକେନ୍ଦ୍ର ଖୋଲିଛନ୍ତି। ୩୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ନିଶୁଳ୍କ ଶିକ୍ଷାକେନ୍ଦ୍ର ଏବେ ପ୍ରାୟ ୧୨୦ ପିଲା ପଢୁଛନ୍ତି। ଜ୍ୟୋତି ଗୁରୁମା ନିଜେ ପଢାଇବା ସହ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ କରିଛନ୍ତି।

ଜ୍ୟୋତିଙ୍କ ସବୁ କାମରେ ସ୍ୱାମୀ ଦିପକ ସାହାଯ୍ୟ କରୁଛନ୍ତି । ନିଜ ବ୍ୟବସାୟ ସମ୍ଭାଳିବା ସହ ଶିକ୍ଷିତ ସମାଜ ଗଢିବା ଦିଗରେ ଦୀପକ ଓ ସୀତାରାଣୀ ଉଦ୍ୟମ ଜାରି ରଖିଛନ୍ତି । ସେମାନଙ୍କ ନିଷ୍ଠା ଓ ପ୍ରଚେଷ୍ଟା ଦ୍ୱାରା ଅନେକ ଗରିବ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବାରେ ସମର୍ଥ ହେଉଛନ୍ତି । ଦୀପକ ନିଜ ଘରେ ଏକ ଲାଇବ୍ରେରୀ କରି ଅନେକ କମ୍ପିଟେଟିଭ୍ ବହି ରଖିଛନ୍ତି। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀ ଏଠାରୁ ପଢି ପରୀକ୍ଷା ଦେଉଛନ୍ତି ।