ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ବିୟୋଗ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

122

କନକ ବ୍ୟୁରୋ : ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ । ଅସୁସ୍ଥତା କାରଣରୁ ଗତ କିଛି ଦିନ ଧରି ଭୁବନେଶ୍ୱରସ୍ଥ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ ଯାଜପୁରକୁ ଅଣାଯାଇଛି । ପରେ ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆଜି ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ସାଂସଦ ଅନାଦିଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ବୀଜିପୁର ଗ୍ରାମରେ । ସେ ୧୯୭୧ ଠାରୁ ଲଗାତାର ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇ ଥିଲେ । ୧୯୭୧, ୧୯୮୦,୧୯୮୪ ମସିହାରେ ଜାତୀୟ କଂଗ୍ରେସରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୮୯ ଓ ୧୯୯୧ ମସିହାରେ ସେ ଜନତା ଦଳ ପକ୍ଷରୁ ସାଂସଦ ହୋଇଥିଲେ । ପରେ ସେ କଂଗ୍ରେସକୁ ଫେରି ରାଜନୀତିରେ ସକ୍ରିୟ ଥିଲେ । ସ୍ୱର୍ଗତ ଦାସ ଜଣେ ଗାନ୍ଧିବାଦୀ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତର ବିଜିପୁର ଗ୍ରାମରେ ସ୍ୱର୍ଗତ ଦାସଙ୍କ ଘର। ଜଣେ ଗାନ୍ଧିବାଦୀ ନେତା ଭାବେ ଜଣାଶୁଣା ଥିଲେ। ଭୂଦାନ ଆନ୍ଦୋଳନର ନେତୃତ୍ୱ ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିକୁ ଆସିଥିଲେ। ସେ ରାଷ୍ଟ୍ରୀୟ ଆଦିବାସୀ ଓ ହରିଜନ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧି ଓ ଭିପି ସିଂଙ୍କ ସମୟରେ ୨ଥର ଦାୟିତ୍ୱ ତୁଲାଇଥିଲେ ।

ନିଜ କାର୍ଯ୍ୟକାଳ ସମୟରେ ଟେଲିକମ୍‌ ଏବଂ ଡାକ କ୍ଷେତ୍ରରେ ଅନେକ ପଦକ୍ଷେପ ନେବାସହ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ। ଯାଜପୁରରୋଡ ରେଲୱେ ଓଭରବ୍ରିଜ ତାଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିଲା । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ୪ ପୁଅଙ୍କ ମଧ୍ୟରୁ ୩ ଜଣଙ୍କ ପୂର୍ବରୁ ମୃତ୍ୟୁ ହୋଇଛି । ଶେଷଶଯ୍ୟା ନିକଟରେ ପୁଅ ହେମନ୍ତ ଉପସ୍ଥିତ ଥିଲେ ।