ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କ ହତ୍ୟା : କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଶୋକ ପ୍ରକାଶ

200

କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ହତ୍ୟାକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ସେ ଟ୍ୱିଟ୍ କରି ଲେଖିଛନ୍ତି, ଶିକାରୀଙ୍କ ଦ୍ୱାରା ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ହତ୍ୟା ଅତି ଦୁଃଖଦାୟକ । ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ତାଙ୍କ ଜୀବନ ଦେଇଛନ୍ତି । ତାଙ୍କ ବଳିଦାନ ସର୍ବଦା ମନେ ରହିବ । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି ଭୂପେନ୍ଦ୍ର ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ।

ବନକର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରିବା ସମୟରେ ଶିକାରି ଗୁଳି କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କ ଜୀବନ ଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିନ ନଅଣା ରେଞ୍ଜର ବାଉଁଶଖାଳ ବିଟରେ ଏହି ଅଘଟଣ ଘଟିଛି । କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ବନକର୍ମଚାରୀ ଘନ ଘନ ପାଟ୍ରୋଲିଂ ଯୋଗୁଁ ଅସୁବିଧାରେ ପଡିଥିଲେ ଶିକାରୀ ।

ଅଭୟାରଣ୍ୟରେ ଅବାଧ ଶିକାର କରିପାରୁନଥିବାରୁ ରାଗରେ ଶିକାରିମାନେ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାଛଡା ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ କରାଯାଇ ଶିକାରୀଙ୍କୁ ଗିରଫ କରାଯାଉଛି । ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା କରିଥିବା ଚର୍ଚ୍ଚା ହେଉଛି । ସେପଟେ ଶିମିଳିପାଳରେ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ହେବା ଘଟଣା ପ୍ରଥମ ବୋଲି କୁହାଯାଉଛି ।