ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟଗାର୍ଡଙ୍କୁ ହତ୍ୟା : ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଗଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ

687

କନକ ବ୍ୟୁରୋ : ଶିିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଥିବା ବେଳେ ଏପଟେ କିନ୍ତୁ ଚୁପ୍ ଅଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ । ଏହି ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ଆଉ ମନ୍ତ୍ରୀ ପ୍ରଶ୍ନକୁ ଏଡ଼ାଇ ଯାଉଥିବାର ପୁରା ଘଟଣା କ୍ୟାମେରାରେ କଏଦ ହୋଇଛି ।

ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ତର ତର ହୋଇ ଗାଡିରେ ବସି ବାହାରୁଥିଲେ ମନ୍ତ୍ରୀ । ହେଲେ ଗଣମାଧ୍ୟମ ପ୍ରତିନିଧି ମନ୍ତ୍ରୀଙ୍କୁ ଅଟକାଇ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ବାବଦରେ ପ୍ରଶ୍ନ କରିବାରୁ- ବୈଠକ ଅଛି, ବୈଠକରୁ ଫେରିବା ପରେ ପ୍ରତିକ୍ରିୟା ଦେବେ କହି ଚାଲିଯାଇଥିଲା ।

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ । ବନକର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରିବା ସମୟରେ ଶିକାରି ଗୁଳି କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କ ଜୀବନ ଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିନ ନଅଣା ରେଞ୍ଜର ବାଉଁଶଖାଳ ବିଟରେ ଏହି ଅଘଟଣ ଘଟିଛି ।  କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ବନକର୍ମଚାରୀ ଘନ ଘନ ପାଟ୍ରୋଲିଂ ଯୋଗୁଁ ଅସୁବିଧାରେ ପଡିଥିଲେ ଶିକାରୀ ।

ଅଭୟାରଣ୍ୟରେ ଅବାଧ ଶିକାର କରିପାରୁନଥିବାରୁ ରାଗରେ ଶିକାରିମାନେ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାଛଡା ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ କରାଯାଇ ଶିକାରୀଙ୍କୁ ଗିରଫ କରାଯାଉଛି । ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା କରିଥିବା ଚର୍ଚ୍ଚା ହେଉଛି । ସେପଟେ ଶିମିଳିପାଳରେ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ହେବା ଘଟଣା ପ୍ରଥମ ବୋଲି କୁହାଯାଉଛି ।