ବନ୍ୟା ପାଇଁ ୪ ଦିନ ହେବ ପାଣି ଘେରରେ ଲୋକେ : ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ପହଞ୍ଚି ନଥିବା ଅଭିଯୋଗ

72

କନକ ବ୍ୟୁରୋ : ବନ୍ୟା ପାଇଁ ୪ ଦିନ ହେବ ପାଣି ଘେରରେ ଲୋକେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ପାହିତୋରଣା ପଂଚାୟତ ମଙ୍ଗରାଜପୁର ଗାଁରେ ୨୦ରୁ ଅଧିକ ଲୋକଙ୍କ ଘରେ ପାଣି ପଶି ଯାଇଛି । ୪ଦିନ ହେବ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ଶୁଖିଲା ଖାଦ୍ୟ ଖାଇ ପାଣି ଘେରରେ ଥିବା ବେଳେ ଏପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ପହଞ୍ଚି ନଥିବା କହିଛନ୍ତି ।

ସୋରରେ କାଂଶବାଂଶ ନଦୀରେ ଜଳସ୍ତର ବିପଦ ସଂକେତ ଟପିଛି । କାଂଶବାଂଶ ନଦୀରେ ବିପଦ ସଙ୍କେତ ୭ ଦଶମିକ ୫୦ ମମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଟପି ୭ ଦଶମିକ ୮୫ ମିଟର ଜଳ ପ୍ରବାହିତ ହେଉଛି । ଫଳରେ କାଂଶବାଂଶ ନଦୀର ବନ୍ୟା ଜଳ ସିମୁଳିଆ ବ୍ଲକ ବାଟି ପଂଚାୟତର ହରସିଂପୁର ଗାଁରେ ପାଣି ପଶି ଯାଇଛି ।

ତଳିଆ ଅଞ୍ଚଳରେ ଥିବା ୧୦ଟି ପରିବାର ଜଳବନ୍ଦୀ ହୋଇଛନ୍ତି । ସେପଟେ ବିଶେଶ୍ୱର ମହାଦେବ ମନ୍ଦିର ମଧ୍ୟ ଜଳ ଘେରରେ ରହିଛି । ଏହାଛଡା କବିରିପୁର ହରିସିଂପୁର, ଆକୁଲା, ଘାସୁଆ, ବାଙ୍କ ପାଟଣା, ବାଶିସିଆ ଏସବୁ ଗ୍ରାମ ପାଣିରେ ବୁଡିଛି । ସେହିପରି ସୋର ବ୍ଲକ ବାଳଙ୍ଗ, ଗୁଡ ବଳରାମପୁର, କଂଟାବାଙ୍କି ଗାଁରେ ବନ୍ୟା ଜଳ ପଶିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।