ଜଳବନ୍ଦୀ ମାଲକାନଗିରି ଜିଲ୍ଲା । ପୋଲ ଉପରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ମାଲକାନଗିରିଠାରୁ ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଯୋଗାଯୋଗ ଠପ୍

156

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା । ଗତ ତିନି ଦିନ ଧରି ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘରୁ ବାହାରିବା ଏବେ କଷ୍ଟକର ହୋଇ ପଡିଥିବାବେଳ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇପଡିଛି ସମଗ୍ର ମାଲକାନଗିରି ଜିଲ୍ଲା । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ହେଉ ବା ଗାଁ ରାସ୍ତା ଚାରିଆଡେ କେବଳ ପାଣି ପାଣି ଆଉ ପାଣି । କେଉଁଠି ଘରେ ପାଣି ପଶିଛି ତେ, ଆଉ କେଉଁଠି ଘର ଉପରେ ଗଛ ଉପୁଡି ପଡିଛି ।

  • ଜଳବନ୍ଦୀ ମାଲକାନଗିରି ଜିଲ୍ଲା
  • ପୋଲ ଉପରେ ଲହଡି ଭାଙ୍ଗୁଛି ବନ୍ୟା ଜଳ

ମାଲକାନଗିରି ଜିଲ୍ଲା ପୋଟେରୁ ପୋଲ ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ପୋଲର ଉଭୟ ପଟେ ଶତାଧିକ ଗାଡିର ଲମ୍ବାଲାଇନ୍ ଲାଗିଛି । ଫଳରେ ମାଲକାନଗିରି ଠାରୁ ମୋଟୁ ୩୨୬ ନଂ ଜାତୀୟ ରାଜପଥ ଦେଇ ପୁରା ଦକ୍ଷିଣ ଭାରତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି ।

  • ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟ ରେ ୧୩୪.୭୪ ମିମି ବର୍ଷା ରେକର୍ଡ ହୋଇଛି
  • ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୯୯ ମିଲିମିଟର ବର୍ଷ ରେକର୍ଡ
  • କୋରକୋଣ୍ଡାରେ ୧୮୫, ମାଲକାନଗିରିରେ ୧୮୩.୨, କାଲିମେଳା ବ୍ଲକ ରେ ୧୧୪ ମିଲିମିଟର ବର୍ଷା ରେକର୍ଡ

ଭରା ନଇର ଭ୍ରମ ସୃଷ୍ଟି କରୁଛି ୩୨୬ ନଂ ଜାତୀୟ ରାଜପଥ । କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ । କେବଳ ପୋଟେରୁ ନୁହେଁ, ପୋଟେରୁ ଆଗରେ ରହିଛି କାଙ୍ଗୋରୁକୋଣ୍ଡା ପୋଲ, ଯେଉଁଠି ପୋଲ ଉପରେ ଲହଡି ଭଙ୍ଗୁଛି ୧୦ ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ । ଜାତୀୟ ରାଜପଥ ଏଠାରେ ଏକ ବିରାଟ ନଈର ଭ୍ରମ ସୃଷ୍ଟି କରୁଛି । ଆଗକୁ ରହିଛି ଏମଭି ୯୦, ଏମଭି ୯୬, ସେଠାରେ ମଧ୍ୟ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି କନ୍ୟାଶ୍ରମ ନିକଟରେ ପୋଲ ଉପରେ ୫ ରୁ ୬ ଫୁଟ ଉଚ୍ଚ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ପଡିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

  • ମାଲକାନଗିରି ଠାରୁ କାଲିମେଳା ଯୋଗାଯୋଗ ଠପ୍
  • ମାଲକାନଗିରି ଠାରୁ ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଯୋଗାଯୋଗ ଠପ୍
  • କାଲିମେଳା ଠାରୁ ପଡିଆ ଦେଇ ଛତିଶଗଡ ସହ ଯୋଗାଯୋଗ ବିଚ୍ଛିନ୍ନ 

ପୋଙ୍ଗାମ ପୋଲ ଉପରେ ପାଣି । ତାର୍ଲାକୋଟ ପୋଲ ଉପରେ ଦୁଇ ଦିନ ଧରି ବନ୍ୟା ଜଳ ପ୍ରବାହିତ ହୋଉଛି । ଫଳରେ ବିପଦସଙ୍କୁଳ ଅବସ୍ଥରେ ଛାତ୍ରଛାତ୍ରୀ ସ୍କୁଲ ଯିବା ଆସିବା କରୁଛନ୍ତି । ପୋଙ୍ଗାମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଉ ଥିବାରୁ ଜୟପୁର ଠାରୁ ମାଲକାନଗିରି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତାର୍ଲାକୋଟା ପୋଲ ଉପରେ ଗତ ଦୁଇ ଦିନ ଧରି ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବନ୍ୟା ମାଲକାନଗିରି ଠାରୁ ବାଲିମେଳା ଦେଇ ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ଯୋଗାଯୋଗ ଠପ୍ । ଆଉ ଜାତୀୟ ରାଜପଥ ସମେତ ରାଜରାସ୍ତା ଓ ଗ୍ରାମାଞ୍ଚଳରେ ମଧ୍ୟ ପାଣି ଆଉ ପାଣି । ସ୍ୱାଭିମାନ ଅଞ୍ଚଳରେ ଗୋରାସେତୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଉ ଥିବାରୁ ସ୍ୱାଭିମାନ ଅଞ୍ଚଳର ୩୦ରୁ ଅଧିକ ଗାଁ ସହ ଯୋଗାଯୋଗ ଠପ୍ ହୋଇ ପଡିଛି । ଆଉ ପୂରା ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

ସମଗ୍ର ମାଲକାନଗିରି ଜିଲ୍ଲାରେ ଜଳବନ୍ଦୀ ହୋଇ ପଡିବା ସହ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇ ପଡିଛି । ଲୋକେ ପ୍ରବଳ ବର୍ଷା ଯୋଗୁ ଘରୁ ବାହାରି ପାରୁନାହାନ୍ତି । ଅନେକ ଘରେ ପାଣି ପଶି ଯାଇଥିବାବେଳେ ଘର ଦ୍ୱାର ମଧ୍ୟ ନଷ୍ଟ ହୋଇଛି ।