ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ : ଜଳିଗଲା ଦୋକାନ ସହ ୩ ବଖରା ଘର; ସ୍ୱାମୀ ସ୍ତ୍ରୀ ଗୁରୁତର

46

କନକ ବ୍ୟୁରୋ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରେ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ ସହ ୩ ବଖରା ଘର, ସ୍ୱାମୀ ସ୍ତ୍ରୀ ଗୁରୁତର । ସ୍ତ୍ରୀ ସନ୍ଧ୍ୟା ଦେଉଥିବା ସମୟରେ ହଠାତ ସର୍ଟ ସର୍କିଟ ଯୋଗୁଁ ନିଆଁ ବାହାରି ଦୋକାନ ସହ ପୁରା ଘରକୁ ବ୍ୟାପୀ ଯାଇଥିଲା । ତୋଟା ଗାଁର ସଞ୍ଜୟ ନିଜ ଘରେ ଦୋକାନ କରି ବିସ୍କୁଟ ମିକ୍ସଚର, ଥଣ୍ଡା ଓ ପେଟ୍ରୋଲ ଡିଜେଲ ବିକ୍ରି କରୁଥିଲେ । ଘରେ ପେଟ୍ରୋଲ ଡିଜେଲ ଥିବା କାରଣରୁ ସର୍ଟ ସର୍କିଟରୁ ନିଆଁ ଲାଗି ସାଙ୍ଗେ ସାଙ୍ଗେ ଘରେ ବ୍ୟାପୀ ଯାଇଥିଲା । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଘରର ସମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇ ଯାଇଛି ।

ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ସମୟରେ ସଞ୍ଜୟଙ୍କ ଦୁଇ ସନ୍ତାନ ବାହରକୁ ଖେଳିବାକୁ ଯାଇଥିବା କାରଣରୁ ଦୁଇ ସନ୍ତାନ ନିଆଁ ଦାଉରୁ ବର୍ତ୍ତି ଯାଇଛନ୍ତି । ସଞ୍ଜୟ ଏବଂ ତାଙ୍କୁ ପତ୍ନୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁହିଁଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଖଲ୍ଲିକୋଟ ଏନଏସି ଅଧକ୍ଷ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ସାନ୍ତ୍ୱନା ଦେବା ସହ ଏନଏସି ତରଫରୁ ସମସ୍ତ ସୁବିଧା ଯୋଗେଇ ଦେବେ ବୋଲି କହିଛନ୍ତି । ତେବେ ସଞ୍ଜୟଙ୍କ ଘର ଦୋକାନ ସହ ପାଖରେ ଥିବା କିଛି ଦୋକାନ ମଧ୍ୟ ନିଆଁ ଲାଗିବା ଫଳରେ କ୍ଷତିଗ୍ରସ୍ତ ହୋଇଛି ।