ଗଣପତିଙ୍କୁ ପୂଜା କଲେ ବୋଲି.. ମହିଳାଙ୍କ ବିରୋଧରେ ଫତୱା ଜାରି  । ପୁରା ପରିବାରକୁ  ଧମକ ।

232

କନକ ବ୍ୟୁରୋ: ସାରା ଦେଶ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାରେ ମାତିଥିବାବେଳେ ଉତ୍ତରପ୍ରଦେଶ ଆଲିଗଡରେ ଏହାର ବ୍ୟତୀକ୍ରମ ଦେଖାଦେଇଛି । ଆଲିଗଡର ଜଣେ ମହିଳା ରୁବି ଆସିଫ ଖାନ୍ ନିଜ ଘରେ ଶ୍ରୀଗଣେଶଙ୍କ ପୂଜା କଲେ ବୋଲି ତାଙ୍କ ବିରୋଧରେ ଫତୱା ଜାରି କରିଛି ରାଜ୍ୟ ମୁସଲମାନ୍ ସମ୍ପ୍ରଦାୟ ।

ସୂଚନା ମୁତାବକ, ରୁବି ଆସିଫ ଘରେ ଗଣେଶ ପୂଜା କରିବା ପରେ ତାଙ୍କୁ ଧମକ ଦେଇଛନ୍ତି ଫତୱା ମୋବାଇଲ ସର୍ଭିସ୍ ଦେବବନ୍ଦ ଅଧ୍ୟକ୍ଷ ମୁଫତି ଅରଶଦ ଫାରୁକି  । ଏକ ଭିଡିଓ ଜାରି କରି ରୁବିଙ୍କ ପରିବାରକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଗଣପତି ହିନ୍ଦୁମାନଙ୍କର ଅଗ୍ରପୂଜ୍ୟ । ବିବାହ କ୍ଷେତ୍ରରେ ହେଉ ବା ରିଷ୍ଟ ଖଣ୍ଡନ ପାଇଁ ହେଉ ତାଙ୍କୁ ଆରାଧନା କରାଯାଏ । କିନ୍ତୁ ମୁସଲିମ୍ ଧର୍ମ ଅନୁସାରେ ମୁସଲମାନ ଧର୍ମର ଲୋକେ କେବଳ ଆଲ୍ଲାଙ୍କ ପୂଜା କରିବେ । ଏହା ଛଡା ଯଦି ଅନ୍ୟ କେଉଁ ଦେବତାଙ୍କର ପୂଜା କରନ୍ତି ତାହା ଇସଲାମ ବିରୋଧୀ । ଇସଲାମ ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ହୁକୁମ ଜାରି ହେବ ।

କିନ୍ତୁ ଏହି ଧମକର ଉଚିତ ଜବାବ ଦେଇଛନ୍ତି ରୁବି । ସେ ପୂର୍ବରୁ ମଧ୍ୟ ତାଙ୍କ ଘରେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଆସୁଛନ୍ତି । ଆଜି ବି କରୁଛନ୍ତି । ଯେଉଁମାନେ ତାଙ୍କୁ ଧମକ ଦେଉଛନ୍ତି ସେ ପ୍ରକୃତ ମୁସଲମାନ ନୁହଁନ୍ତି । ସେମାନେ ଆତତାୟୀ । ଇସଲାମ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦିଏ । ଏହା ସତ୍ତେ୍ୱ ଯଦି ତାଙ୍କୁ ଧମକ ଦିଆଯାଉଛି ତେବେ ଏହାକୁ ସେ ଭୃକ୍ଷେପ କରନ୍ତି ନାର୍ହି । ଏହା ପୂର୍ବରୁ ମଧ୍ୟ ତାଙ୍କୁ ଫତୱା ଧମକ ଦିଆଯାଇଥିବା କହିଛନ୍ତି ରୁବି  ଆସିଫ ଖାନ୍ ।