ଫିଲ୍ମ ଷ୍ଟାଇଲରେ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ବସିଥିଲା ଜଲ୍ଲାଦ ବାପା । ଅନରକିଲିଂର ସତ ସାମ୍ନାକୁ ଆସିବା ପରେ କୋର୍ଟ ଚାଲାଣ କଲା ପୋଲିସ ।

258

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ହତ୍ୟା । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ । ତେବେ ପୂରା ଘଟଣାଟି ଥିଲା କିଛି ଏମିତି… କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲଙ୍କ ମଧ୍ୟରେ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ହେଲେ ଏ ସମ୍ପର୍କକୁ ସୁନୀଲଙ୍କ ପରିବାର ଲୋକ ସମର୍ଥନ କରୁଥିବା ବେଳେ ନାବାଳିକଙ୍କ ପରିବାର ଲୋକ ସମର୍ଥନ କରୁନଥିଲେ । ଗତ ୩୦ ତାରିଖରେ ଉଭୟ ଘର ଛାଡ଼ି ଚାଲିଯାଇଥିଲେ । ଗାଁରୁ ବାହାରି ଉଭୟ ଗୋତଗୁଡ଼ା ଗାଁରେ ଥିବା ଏକ ପରିତ୍ୟକ୍ତ ମିଲରେ ଲୁଚି ରହିଥିଲେ । ଏ ଖବର ନାବାଳିକାର ବାପା ଜାଣିବା ପରେ ତାଙ୍କ କାକା ଓ ଭିଣୋଇକୁ ସାଙ୍ଗ ନେଇ ପ୍ରେମୀ ଯୁଗଳ ରହୁଥିବା ସ୍ଥାନରେ ପହଞ୍ଚି ଉଭୟଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ସେଠାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦୁହିଁଙ୍କୁ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ଜଲ୍ଲାଦ ବାପା ।

ହେଲେ କଥା ଏତିକିରେ ସରିନଥିଲା ନାବାଳିକା ଝିଅ ନିଖୋଜ ଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲା ବାପା । ଏପଟେ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ନାବାଳକର ପରିବାର ଲୋକ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ନାବାଳିକାଙ୍କ ପରିବାର ଲୋକଙ୍କ ନାରେ ଅଭିଯୋଗ ଆଣିଥିଲେ । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଥିଲା ନାବାଳିକାର ବାପାକୁ ପ୍ରଥମେ ଗିରଫ କରିବା ସହ ତାଙ୍କ ଭିଣେଇ ଓ କକାଙ୍କ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।