ଏପଟେ ଝିଅ ଜନ୍ମ ସେପଟେ ଚିଲିକାରେ ବାପାର ମୃତ୍ୟୁ । ସୁଖ ବଦଳରେ ପରିବାରରେ ଘୋଟିଗଲା ଦୁଃଖର କଳାବାଦଲ

935

କନକ ବ୍ୟୁରୋ : ଏ କେମିତିକା ମୃତ୍ୟୁ । ଦୁଃଖ କଣ ଏମିତି ଆସେ । ଏକାଥରେ ବାପା-ପୁଅଙ୍କ ଜୀବନ ନେଇଯାଏ । ମାଛ ମାରିବାକୁ ଯାଇଥିବା ବେଳେ ସ୍ୱାମୀ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଘରକୁ ଆସିଛି ଶିଶୁକନ୍ୟା । ଏପଟେ ଝିଅ ଜନ୍ମ ସେପଟେ ବାପା ଓ ଜେଜେଙ୍କ ମୃତ୍ୟୁ । ଝିଅକୁ ଦେଖିବା ଆଗରୁ ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସନ୍ୟାସୀ ନଗରରେ ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି । ନାତୁଣୀ କୁଆଁ କୁଆଁ କାନ୍ଦ ଶୁଣିବା ଆଗରୁ ପୁଅ ସହ ଗୋଟିଏ ଡଙ୍ଗାରେ ପ୍ରାଣ ହରାଇଛନ୍ତି ଜେଜେବାପା । ଚିଲିକାରେ ବଜ୍ରପାତ ହେବାରୁ ମାଛ ଧରିବା ବେଳେ ଡଙ୍ଗାରେ ବାଲୁଗାଁ ସନ୍ୟାସୀ ନଗରର ୬୦ ବର୍ଷିୟ ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ୩୦ ବର୍ଷିୟ ଉତ୍ତମ ବିଶ୍ୱାସଙ୍କ ମୃତ୍ୟୁ ହୋଇଛି ।

ସବୁଦିନ ଭଳି ରବିବାର ସନ୍ଧ୍ୟା ୫ଟାରେ ଚିଲିକାକୁ ମାଛ ମାରିବା ପାଇଁ ବାପ ପୁଅ ନିଜସ୍ୱ ଡ଼ଙ୍ଗାରେ ବାହାରି ଯାଇଥିଲେ । ସୋମବାର ସକାଳ ୯ଟା ଯାଏଁ ବିଧାନ ଓ ଉତମ ନଫେରିବାରୁ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ । ସଂପର୍କୀୟମାନେ ଚିଲିକା ଜଳରାଶିରେ ଖୋଜାଖୋଜି କରିଥିଲେ । ଖୋଜୁ ଖୋଜୁ ଚିଲିକା କୂଳଠାରୁ ପ୍ରାୟ ୫ଶହ ମିଟର ଦୂରରେ ଡ଼ଙ୍ଗାଟି ଭାସୁଥିବା ଦେଖିବାକୁ ମିଳିଥିଲା । ସେହି ଡଙ୍ଗାରେ ବାପା ପୁଅଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

ସବୁଠାରୁ ଦୁଃଖଦ ଘଟଣାଟି ହେଉଛି, ଗତକାଲି ରାତିରେ ଉତମଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସାମଲି ବିଶ୍ୱାସ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । କୁନି ଝିଅଟି ବାପାଙ୍କ ମୁହଁ ଦେଖିବା ଆଗରୁ ବାପ ଛେଉଣ୍ଡ ହୋଇଯାଇଛି ।