କଟକରୁ ପୁଣି ନକଲି ଔଷଧ ଜବତ । ଔଷଧ ସବୁ ଦିଲ୍ଲୀ ମିରଟରୁ ଆସୁଥିବା ସୂଚନା

116

କନକ ବ୍ୟୁରୋ: କଟକରୁ ନକଲି ମେଡିସିନ ଜବତ ମାମଲାରେ ପୁଲିସର ଛାନଭିନ୍ । ଗତକାଲି ଚୌଧୁରୀ ବଜାରରୁ ଜବତ ହୋଇଥିଲା ନକଲି ‘ଓ-୨’ମେଡିସନ୍ । ଉକ୍ତ ଡିଷ୍ଟ୍ରିବ୍ୟୁଟରର ମାଲିକ ବିଜୟ ଅଗ୍ରୱାଲଙ୍କୁ ଆଜି ସାଙ୍ଗରେ ଧରି ପୁରୀଘାଟ ଥାନା ଅଂଚଳରେ ଥିବା ବିଭିନ୍ନ ମେଡିସନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଚଢାଉ କରାଯାଇଛି ।

ଗତକାଲି ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହାର ହେଉଥିବା ୨ ଲକ୍ଷ ନକଲି ‘ଓ-୨’ ଔଷଧ ଜବତ କରାଯାଇଥିଲା । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି ‘ଓ-୨’ ମେଡିସନ୍ ଜବତ ହୋଇଥିଲା । ଏହି ଔଷଧ ସବୁ ଦିଲ୍ଲୀ ମେରଟରୁ ଆସୁଥିବା ସୂଚନା ମଳିଛି । ଆବଶ୍ୟକ ପଡିଲେ ପୁଲିସକୁ ନେଇ ବାହାର ରାଜ୍ୟରେ ତଦନ୍ତ ପାଇଁ ଯିବେ ବୋଲି କହିଛନ୍ତି ଡ୍ରଗ୍ସ କଂଟ୍ରୋଲର । ପୂର୍ବରୁ ରକ୍ତଚାପ ଏବଂ ଗ୍ୟାସ୍ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧ ଜବତ ହୋଇଥିବା ବେଳେ ଏବେ ନକଲି ‘ଓ-୨’ ମେଡିସନ୍ ଜବତ ହେବା ପ୍ରଶାସନର ଚିନ୍ତା ବଢାଇଦେଇଛି ।

ଏକ ପ୍ରତିଷ୍ଠିତ ଔଷଧ ନିର୍ମାଣକାରୀ ସଂସ୍ଥା ‘ମେଡଲେ’ କମ୍ପାନୀର ଏହି ‘ଓ-୨ ଔଷଧକୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ବିକ୍ରି କରଯାଉଥିଲା । ଏନେଇ ସୂଚନା ମିଳିବା ପରେ ଡ୍ରଗ୍ସ କଂଟ୍ରୋଲରଙ୍କ ପକ୍ଷରୁ ଚୌଧୁରୀ ବଜାରରେ ଥିବା ଏକ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଉପରେ ଚଢାଉ କରାଯାଇଥିଲା । ତେବେ ଏନେଇ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ କଟକ ଏସଡିଜେମଙ୍କ କୋର୍ଟରେ ଉକ୍ତ ଏଜେନ୍ସି ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହ ଅଧିକ ତଦନ୍ତ ପାଇଁ ପୁରୀଘାଟ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।