କାଶୀପୁରରେ ରୂପ ବଦଳାଉଛି କଲେରା : ଝାଡାବାନ୍ତି ବ୍ୟାପିବା ପଛରେ ଇ-କୋଲାଇ ଜୀବାଣୁ

93

କନକ ବ୍ୟୁରୋ : ରାୟଗଡା କାଶୀପୁରରେ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ସମୟରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ ଇ ଡଟ୍ କୋଲାଇ । ଆରଏମ୍ଆରସିକୁ ଯାଇଥିବା ୨୭ ନମୁନା ମଧ୍ୟରୁ ୧୭ ନମୁନାରେ ଏହି ନୂଆ ପ୍ରଜାତିର ଜୀବାଣୁ ଚିହ୍ନଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ । ଗତ ଦୁଇ ଦିନରେ ସଂଗ୍ରହ ହୋଇଥିବା ନମୁନାରେ ନୂଆ ଜୀବାଣୁର ନୂଆ ପ୍ରଜାତି ଇ ଡଟ୍ କୋଲାଇ ଏବଂ ସିଜୋଲିସସ୍ ଚିହ୍ନଟ ହୋଇଛି ।

ଭିବ୍ରିଓ କଲେରା ଆକ୍ରାନ୍ତଙ୍କ ମଳରେ ଜଳୀୟ ଅଂଶ ଅଧିକ ଯାଉଥିବାବେଳେ ଇ କୋଲାଇ ଆକ୍ରାନ୍ତଙ୍କ ମଳରେ ରକ୍ତର ପରିମାଣ ଅଧିକ ରହୁଛି । ଯାହା ଆକ୍ରାନ୍ତଙ୍କ ପାଇଁ ଘାତକ ସାଜିବା ସହ ଜୀବନ ନେଉଛି । ପରୀକ୍ଷା ପାଇଁ ଯାଇଥିବା ୨୭ ନମୁନା ମଧ୍ୟରୁ ୧୭ ନମୁନାରେ ଇ କୋଲାଇ, ୬ ନମୁନାରେ ଭିବ୍ରିଓ କଲେରା, ୪ଟି ନମୁନାରେ ସିଜୋଲେସିସ୍ ଜୀବାଣୁ ଚିହ୍ନଟ ହୋଇଛି । ନୂତନ ପ୍ରଜାତିର ଜୀବାଣୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ଟିମ୍ । ଧୀରେଧୀରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୂଆ ଜୀବାଣୁର ମୁକାବିଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି ।