ହୋଲି ଖେଳ ପରେ ଦୁର୍ଘଟଣା : ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡି ଜଣେ ମୃତ

16

କନକ ବ୍ୟୁରୋ : ମହାନଦୀରେ ବୁଡ଼ି ଯାଇ ଆଜି ଜଣେ ଯୁବକ ଜୀବନ ହରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର କୁଶପଙ୍ଗୀ ଗ୍ରାମର ବିନାୟକ ସ୍ୱାଇଁ ଓରଫ ରାଜା ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହିତ ହୋଲି ଖେଳିଥିଲେ । ତା’ପରେ ସେ ସାଙ୍ଗମାନଙ୍କ ସହିତ କାଳିକାପ୍ରସାଦ ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସେ ଗଭୀର ପାଣି ଭିତରକୁ ପଶି ଯାଇଥିଲେ । ଏହା ପରେ ସାଙ୍ଗମାନେ ରାଜାକୁ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଘଟଣାର ବହୁ ସମୟ ପରେ ରାଜାର ମୃତଦେହ ଉଦ୍ଧାର ହୋଇଥିଲା ।

ସୂଚନା ମିଳିବା ପରେ ବାଙ୍କୀ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ଏକ ଖୁସିର ଦିନରେ ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।