ଶ୍ରାବଣରେ ବର୍ଷାର ଅଭାବ : ମାଟି ଫାଟି ଆଁ କରିଥିବା ବେଳେ ଦେଖାଦେଲାଣି ମରୁଡ଼ି ପରିସ୍ଥିତି, କେମିତି ହେବ ଚାଷ ଚିନ୍ତାରେ ଚାଷୀ

125

କନକ ବ୍ୟୁରୋ : ଶ୍ରାବଣରେ ବର୍ଷାର ଅଭାବ । ଶୁଖିଲା ପଡ଼ିଛି ଚାଷ ଜମି । ମାଟି ଫାଟି ଆଁ କରିଥିବା ବେଳେ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ସାଧାରଣତଃ ଜଳସେଚନ ଅଭାବରୁ ବର୍ଷା ଉପରେ ନିର୍ଭର କରିଥାଆନ୍ତି ଚାଷୀ । ହେଲେ ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ଝାରସୁଗୁଡାର ଚାଷୀ ଚିନ୍ତାରେ ପଡ଼ିଗଲେଣି । ଖରିଫ ଚାଷ ପାଇଁ ଲୋକେ ବିଲରେ ତଳି ରୋଇଥିଲେ ମଧ୍ୟ ବର୍ଷା ଅଭାବରୁ ଚାଷ କାମ ଅଟକି ରହିଛି ।

ଅନ୍ୟପଟେ ସାର ସଂକଟ ଦୂର ହୋଇନଥିବା ବେଳେ ବର୍ଷା ଅଭାବ ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଏହି ସମୟରେ ଚାଷ ଜମିରେ ବର୍ଷାର ଆବଶ୍ୟକତା ରହିଥିବା ବେଳେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଏପରିକି ଅନେକ ସ୍ଥାନରେ ପଲହା ରୁଆ କାମ ଅଧାରେ ରହିଛି । ମୌସୁମୀର ଶୀଘ୍ର ଆଗମନ ଯୋଗୁଁ ଆରମ୍ଭରୁ ସଅଳ ବର୍ଷା ହୋଇଥିଲା । ଚାଷୀ ତଳି ପକା ଓ ବୁଣାକାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ଶ୍ରାବଣ ମାସ ଆରମ୍ଭରେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମନରେ ନୂତନ ଆଶା ସଂଚାର କରିଥିଲା । ପୂରା ଦମରେ ରୁଆ ବେଉଶଣ ପାଇଁ ଅଂଟା ଭିଡି ଚାଷୀ କାମ ଆରମ୍ଭ କରି ଥିବା ବେଳେ ସରକାରୀ ସ୍ତରରେ ଉପଯୁକ୍ତ ପରିମାଣରେ ସାର ଉପଲବ୍ଧ ହୋଇପାରିନଥିଲା । ସାର ନ ମିଳିବାରୁ ଚାଷୀ ହଇରାଣ ହେଉଥିବା ବେଳେ ଏବେ ବର୍ଷା ଅଭାବରୁ ଚାଷକାମ ଠପ ହେବାକୁ ବସିଛି । ଆଗାମୀ ସପ୍ତାହ ମଧ୍ୟରେ ଧାନ ଚାଷ ନ ହେଲେ ସବୁ ଉଜୁଡି ଯିବ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି ।