ରାଜଧାନୀରୁ ରାଉରକେଲାକୁ ଉଡ଼ିଲା ବିମାନ: ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦିଆ ନଯିବା ନେଇ ଧର୍ମେନ୍ଦ୍ରଙ୍କ କ୍ଷୋଭ

658

କନକ ବ୍ୟୁରୋ: ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣ ଆରମ୍ଭ ହୋଇଥିବାବେଳେ ତେଜିଛି ଶ୍ରେୟ ରାଜନୀତି । ରାଉରକେଲାକୁ ବିମାନ ଉଡାଣ ହେବା ପଛରେ କାହାର ରହିଛି ହାତ, ତାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା । ବିଶେଷ କରି ବିଭିନ୍ନ ଖବର କାଗଜରେ ପ୍ରକାଶିତ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜ୍ଞାପନରେ କେବଳ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ବିଜ୍ଞାପନରେ ନାହିଁ ।.. ସେହିପରି ହୋର୍ଡିଂରେ ବି କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି, ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ ।.. ଯାହାକୁ ନେଇ ବିମାନ ଉଡାଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅହରହ ପ୍ରଚେଷ୍ଟା କରି ଆସିଛନ୍ତି । କିନ୍ତୁ କୌଣସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଗଲା ନାହିଁ । କୌଣସି ପୋଷ୍ଟର କି ବ୍ୟାନରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ । ହୀନମନ୍ୟତା ଓଡିଶାର ସଂସ୍କୃତି କି ପରମ୍ପରା ନୁହେଁ । ଏପରି ମନୋଭାବରୁ ରାଜ୍ୟ ସରକାର ଦୂରେଇ ରହିବା ଆବଶ୍ୟକ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ, ବିଜ୍ଞାପନ ଓ ହୋର୍ଡିଂରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବା, ମୋଦୀଙ୍କୁ ଧନ୍ୟବାଦ ଦିଆନଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୋଷ୍ଟରରେ କେବଳ ନବୀନଙ୍କ ଫଟୋ ରହିବାକୁ କଂଗ୍ରେସ ନେତା ସୁର ରାଉତରାୟ ବି ସହଜରେ ଗ୍ରହଣ କରିପାରି ନାହାଁନ୍ତି ।

ଏପଟେ ଏହି ପ୍ରସଂଗରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ହେଲେ ମନ୍ତ୍ରୀ ସିଧାସଳଖ କୌଣସି ଉତର ଦେଇନାହାଁନ୍ତି । କହିଛନ୍ତି, ବିରୋଧୀଙ୍କ କାମ ଅଭିଯୋଗ କରିବା । ବହୁ ଦିନର ଦାବି ଥିଲା ରାଉରକେଲାକୁ ବିମାନ ଉଡାଣ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ତାହା ପୂରଣ ହୋଇଛି ।

ସଂଘୀୟ ବ୍ୟବସ୍ଥାରେ ବହୁ ଯୋଜନା, ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗିତାରେ ହୋଇଥାଏ । ଆଉ ଏଥିପାଇଁ ଉଭୟ ସରକାର ନିଜ ନିଜର ଅଂଶ ଦେଇଥାନ୍ତି । ହେଲେ, କିଏ ଶ୍ରେୟ ନେବ ଏନେଇ ରାଜ୍ୟର ଦୁଇ ପ୍ରମୁଖ ଦଳ ମଧ୍ୟରେ ଛକାପଂଝା ଚାଲିଛି ।