ଢେଙ୍କାନାଳରୁ ନିର୍ବାଚନ ଲଢିବେ କି ଧର୍ମେନ୍ଦ୍ର ପ୍ରଧାନ? କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ କାର୍ଯ୍ୟକ୍ରମ ଦେଉଛି ନୂଆ ଇସାରା । ଧର୍ମେନ୍ଦ୍ରଙ୍କୁ ଘେରିଲେ ବିଜେଡି ସାଂସଦ ।

1,146

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନକୁ ନିର୍ବାଚନ ଲଢିବେ, ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଆଉ ଏହି ସମୟରେ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ କିଛି ନୂଆ ଇସାରା କରୁଛି । କୁହାଯାଉଛି, ସେ ଢେଙ୍କାନାଳ ଆସନରୁ ଲଢିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଆଉ ଏହି ଚର୍ଚ୍ଚା ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେଡି ସାଂସଦ ମହେଶ ସାହୁ ।

  • ଢ଼େଙ୍କାନାଳରୁ ଲଢ଼ିବେ ଧର୍ମେନ୍ଦ୍ର!
  • କ୍ଷେତ୍ର ପ୍ରସ୍ତୁତି କରୁଛନ୍ତିି କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେଉଁ ଆସନରୁ ନିର୍ବାଚନ ଲଢ଼ିବେ? ଢ଼େଙ୍କାନାଳ ଆସନରୁ ଲଢ଼ିବେ ନା ସମ୍ବଲପୁର ଆସନରୁ ଲଢ଼ିବେ? ଏନେଇ ଗତ କିଛି ମାସ ହେଲା ଚର୍ଚ୍ଚା ଲାଗି ରହିଥିବାବେଳେ, ଢ଼େଙ୍କାନାଳ ଲୋକସଭା କ୍ଷେତ୍ରରେ ତାଙ୍କର ମାରାଥନ କାର୍ଯ୍ୟକ୍ରମ ନିଆରା ବାର୍ତା ଦେଉଛି । ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମକୁ ଦେଖି ଆଲୋଚନା ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ, ଢ଼େଙ୍କାନାଳ ଆସନରୁ ଲଢ଼ିବେ । ତେବେ ଏନେଇ ଧର୍ମେନ୍ଦ୍ରଙ୍କ ପକ୍ଷରୁ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

  • ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମ,ତେଜିଲା ରାଜନୀତି
  • ହିସାବ ମାଗିଲେ ବିଜେଡି ସାଂସଦ

ଧର୍ମେନ୍ଦ୍ର ପ୍ରଧାନ କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛନ୍ତି ସ୍ଥାନୀୟ ବିଜେଡି ସାଂସଦ ମହେଶ ସାହୁ । ଧର୍ମେନ୍ଦ୍ର ପ୍ରଧାନ ଜନ୍ମଭୂମିର କିଛି ବି ବିକାଶ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମହେଶ । ଇଣ୍ଟରନେଟ୍ ସୁବିଧା, ବ୍ୟାଙ୍କିଙ୍ଗ ସୁବିଧା ନାହିଁ କହି କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ଏଥିସହ ୨ କୋଟି ଚାକିରି କୁଆଡେ ଗଲା? ବୋଲି ପ୍ରଶ୍ନ କରିଛନ୍ତି । ତେବେ ସ୍ଥାନୀୟ ବିଜେପି ନେତା ରୁଦ୍ର ପାଣି କହିଛନ୍ତି ଧର୍ମେନ୍ଦ୍ର କଣ କରିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି ।

ରାଜ୍ୟସଭା ସାଂସଦ ଓ ମନ୍ତ୍ରୀଙ୍କୁ ୨୦୨୪ରେ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ପରେ ଏବେ ନିର୍ବାଚନମଣ୍ଡଳୀରେ ସକ୍ରିୟ ଅଛନ୍ତି ଧର୍ମେନ୍ଦ୍ର । ଯାହାକୁ ଚେକ୍ ଦେବାକୁ ବିଜେଡି ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି ।