ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ଧର୍ମେନ୍ଦ୍ରଙ୍କ ଟାର୍ଗେଟ : ପ୍ରତାପ ରୁଦ୍ରଦେବଙ୍କ ପରବର୍ତ୍ତୀ ଶାସନ ସହ କଲେ ତୁଳନା

147

କନକ ବ୍ୟୁରୋ : ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶଶିକଳା ସିଣ୍ଡ୍ରୋମ ପରେ ପ୍ରତାପରୁଦ୍ର ଦେବଙ୍କ ପରବର୍ତ୍ତୀ ଶାସନ ବ୍ୟବସ୍ଥା ସହିତ ରାଜ୍ୟର ବର୍ତମାନର ସ୍ଥିତିକୁ ତୁଳନା କରିଛନ୍ତି । ନଟବର ଖୁଂଟିଆଙ୍କ ସୋସିଆଲ ମିଡିଆ ଲେଖା ପଢି ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି । କହିଛନ୍ତି ଓଡ଼ିଶାର ଇତିହାସକୁ ବର୍ତ୍ତମାନ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ନଟବର ଖୁଂଟିଆ ସଠିକ୍ ତୁଳନା କରିଛନ୍ତି ।

ନଟବର ଖୁଂଟିଆ ସୋସିଆଲ ମିଡିଆରେ ଲେଖିଛନ୍ତି, ଏକ ବିରାଟ ଭୁଖଣ୍ଡର ରାଜା ଥିଲେ ପ୍ରତାପରୁଦ୍ର ଦେବ । ହେଲେ ଧୀରେ ଧୀରେ ତାଙ୍କ ଭୂଖଣ୍ଡ ହ୍ରାସ ପାଇଥିଲା । ତାଙ୍କ ମୃତ୍ୟୁ ବେଳକୁ ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ତାଙ୍କ ପୁଅ ଦୁଇ ବର୍ଷ ବି ଶାସନ କରିପାରିଲେ ନାହିଁ । ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଦୁଇ ପୁଅଙ୍କୁ ହତ୍ୟା କରି ଶାସନ ଭାର ଗ୍ରହଣ କରିଥିଲେ । ଏହା ପରେ ରାଜ୍ୟରେ ବିଶୃଙ୍ଖଳା ବ୍ୟାପିଥିଲା ।

ଆଜି ପ୍ରତାପରୁଦ୍ର ଦେବଙ୍କ ସମୟ ପରି ଆକ୍ରମଣାନ୍ତକ ମାନସିକତା ହରାଇବା ପରି ଅନୁଭବ ହେଉଛି । ନହେଲେ ଏକ ଗଣତାନ୍ତ୍ରିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କୁ କ୍ଷମତା ଦେଇ ରାଜ୍ୟ ସାରା ହେଲିକପ୍ଟରରେ ଅସାମ୍ବିଧାନିକ ଭାବେ ବୁଲାଇ ଲୋକଙ୍କ ଗୁହାରି ଶୁଣିବାକୁ ପଠାଇନଥାନ୍ତେି । କ’ଣ ପଛଦ୍ୱାର ଦେଇ ଏବେ କିଏ ଜଣେ ଗୋବିନ୍ଦ ବିଦ୍ୟାଧର ଆସିବେ ଆଉ ଓଡ଼ିଶା ଲୋକେ ତାକୁ ସ୍ୱାଗତ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।