ଗୋପପୁରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା : ଆଜି ବରଗଡ଼ ଧନୁଯାତ୍ରା ମୁକ୍ତକାଶ ରଙ୍ଗମଞ୍ଚରେ ଅଭିନିତ ହେବ କାଳୀୟଦଳନର ଦୃଶ୍ୟ

82

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ପଞ୍ଚମ ଦିନ । ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ ପାଲଟିଛି ମଥୁରୀ ନଗରି ଓ ଆମ୍ବାପାଲି ପାଲଟିଛି ଗୋପପୁର । ଆଜି ବହୁ ପ୍ରତିକ୍ଷିତ କାଳୀୟ ଦଳନ ଦୃଶ୍ୟ ମଞ୍ଚସ୍ଥ ହେବ । କାଳୀୟ ନାଗୁ ଦଳନ କରି ଗୋପପୁରବାସୀଙ୍କୁ ଆଶ୍ୱସ୍ତ କରିବେ ମହାପ୍ରଭୁ ଶ୍ରୀକୃଷ୍ଣ । ସେପଟେ ହତ୍ୟା ଷଡଯନ୍ତ୍ର ବିଫଳ ହେବା ପରେ ଧନୁଯାତ୍ରାକୁ ଆସିବା ପାଇଁ ଗୋପପୁରକୁ ଚିଟାଉ ପଠାଇଛନ୍ତି ମହାରାଜ କଂସ ।

ଏପଟେ ଗୋପପୁରରେ ଏବେ ଶ୍ରୀକୃଷ୍ଣ ଓ ବଳରାମଙ୍କ ବାଲ୍ୟ ଲୀଳା ଚାଲିଛି । ଚନ୍ଦ୍ରକଳା ଉଆସରେ ବେନିଭାଇଙ୍କ ବାଲ୍ୟ ଲୀଳା ଦେଖି ବିଭୋର ହେଉଛନ୍ତି ଗୋପାଳ, ଗୋପାଳୁଣୀ । ଧନୁ ଯାତ୍ରାର ଚତୁର୍ଥ ଦିନରେ ଶ୍ରୀକୃଷ୍ଣଙ୍କ ଲହୁଣି ଚୋରି, ଶ୍ରୀକୃଷ୍ଣଙ୍କ ମୁଖରେ ମାଆ ଯଶୋଦାଙ୍କ ବିଶ୍ୱରୂପ ଦର୍ଶନ ଅଭିନୀତ ହୋଇଛି । ସେହିପରି ମହାରଜା କଂସ- ବେନି ଭାଇଙ୍କୁ ହତ୍ୟା ପାଇ ପଠାଇଥିବା ରାକ୍ଷସୀ ପୁତନା ଓ ଷଡମଲ୍ଲ କୃଷ୍ଣ-ବଳରାମଙ୍କ ହାତରେ ପ୍ରାଣ ହରାଇଛନ୍ତି । ସେପଟେ ମହାରାଜ କଂସ ଦିଗବିଜୟ ଯାତ୍ରାରେ ବାହାରି ଲବଣାସୁରକୁ ପରାସ୍ତ କରି ବନ୍ଧୁତା ବାନ୍ଧିଛନ୍ତି ।

ଏପରି ଖୁସି ମୁହୂର୍ତ୍ତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟଗୀତକୁ ଉପଭୋଗ କରିଛନ୍ତି ମହାରାଜ କଂସ । ଏପରି ସମୟରେ କୃଷ୍ଣ-ବଳରାମଙ୍କ ହାତରେ ପୁତନା ଓ ଷଡ ମଲ୍ଲଙ୍କ ମୃତ୍ୟୁ ଖବର ପାଇଁ ବିଚଳିତ ହୋଇଛନ୍ତି ମଥୁରା ନରେଶ । ଏହାପରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରି ଧନୁଯାତ୍ରାର ଆୟୋଜନ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ । ଏଥିସହ ଧନୁଯାତ୍ରା ଦେଖି ଆସିବା ପାଇଁ ଦୁଇ ପୁଅଙ୍କୁ ମଥୁରା ପଠାଇବାକୁ ନନ୍ଦ ରାଜାଙ୍କୁ ଚିଟାଉ ପଠାଇଛନ୍ତି ।