ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ : ପାରମାଣିକ ଦର୍ଶନ ପରେ ଚାଲିଛି ସାହାଣମେଳା ଦର୍ଶନ; ୧୧ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ

161

କନକ ବ୍ୟୁରୋ : ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ ଦର୍ଶନ କରିବା ପରେ ଏବେ ଚାଲିଛି ସର୍ବସାଧାରଣ ଦର୍ଶନ । ୯ଟାରୁ ୧୧ଟା ୨ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସାଧାରଣ ଭକ୍ତମାନେ ସିଂହଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ ହୋଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଥାନ୍ତି । ଏହି ସମୟ ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ହୁଅନ୍ତି । ତେବେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାକୁ ନବଯୌବନ ଦର୍ଶନ ବୋଲି କୁହାଯାଏ ।