‘ଦଳିତ ବୋଲି ଖାଦ୍ୟ ଫିଙ୍ଗିଦେଲେ, ମୁହଁକୁ ଛେପ ପକାଇଲେ ଗ୍ରାହକ’ । ଅଭିଯୋଗ କଲେ ଡେଲିଭରୀ ବୟ ।

327

କନକ ବ୍ୟୁରୋ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଖାଦ୍ୟ ଡେଲିଭରୀକୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଜୋମାଟୋ ଡେଲିଭରୀ ବୟ ଜଣକ ଦଳିତ ହୋଇଥିବାରୁ ଖାଦ୍ୟ ଫିଙ୍ଗିଦେବା ସହ ଗ୍ରାହକ ଅମାନୁଷିକ ଭାବେ ବ୍ୟବହାର କରି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଏ ବାବଦରେ ଏଯାଏଁ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବି ମାମଲା ଦାଏର କରି ଯାଞ୍ଚ ଜାରି ରଖିଥିବା ଜଣାପଡିଛି ।

ସୂଚନା ମୁତାବକ, ଲକ୍ଷ୍ନୌ ଆସିୟାନା ଇଲାକାରେ ଜୋମାଟୋ ଡେଲିଭରୀ ବୟ ବିନୀତ ରାୱତ୍ ଏଠିକାର ଜଣେ ଗ୍ରାହକ ଅଜୟ ସିଂଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଆସିୟାନାରେ ରହୁଥିବା ଅଜୟ ସିଂ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । ଶନିବାର ଡେଲିଭରୀ ବୟ ବିନୀତ ରାୱତ୍ ଖାଦ୍ୟ ନେଇ ପହଞ୍ଚିଥିଲେ । ଅଜୟ ସିଂ ଘରୁ ବାହାରିଥିଲେ ଏବଂ ଯେତେବେଳ ବୀନିତ ଦଳିତ ଯୁବକ ବୋଲି ଜାଣିବାକୁ ପାଇଥିଲେ ତାଙ୍କଠାରୁ ଖାଦ୍ୟ ଆଣି ଫୋପାଡି ଦେଇ୍ଥିଲେ । ଏବଂ ବିନୀତଙ୍କ ମୁହଁକୁ ପାନ ଛେପ ପକାଇଥିଲେ । ବିନୀତ ଅଭିଯୋଗ କରିବାକୁ ଅଜୟ ଓ ତାଙ୍କ ପରିବାର ଲୋକ ମିଶି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏହି ଘଟଣାରେ ପାଲଟା ଅଭିଯୋଗ କରିଛନ୍ତି ଗ୍ରାହକ ଅଜୟ ସିଂ । ତାଙ୍କ କହିବା ମୁତାବକ, ଡେଲିଭରୀ ବୟ ପହଞ୍ଚିବା ବେଳକୁ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଛାଡିବାକୁ ବାହାରିଥିଲେ । ଡେଲିଭରୀ ବୟ ତାଙ୍କୁ ହିଁ ତାଙ୍କ ଘର ଠିକଣା ପଚାରିଥିଲା । ପାଟିରେ ପାନ ଥିବାରୁ ଛେପ ପକାଇ କିଛି କହିବାକୁ ଗଲାବେଳକୁ ଛେପ ଛିଟକା ଡେଲିଭରୀ ବୟ ବିନୀତଙ୍କ ଉପରେ ପଡିଯାଇଥିଲା । ଏହାକୁ ନେଇ ସେ ଅଜୟଙ୍କୁ ଅସଭ୍ୟ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ତାଙ୍କ ଘର ଲୋକ ବିନୀତଙ୍କ ଉପରକୁ ହାତ ଉଠାଇଥିଲେ ।

ପୋଲିସ କମିଶନର ଡିକେ ଠାକୁରଙ୍କ କହିବା ମୁତାବକ, ଝଗଡା ସମୟରେ ବିନୀତ ତୁରନ୍ତ ଟୋଲ ଫ୍ରି ନମ୍ବର ୧୧୨ କୁ ଡାଏଲ କରିଥିଲା । ଏହାର ଟିମ୍ ସେଠାରେ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ଯିବାକୁ କହିଥିଲେ ବି ବିନୀତ କିନ୍ତୁ ଯାଇନଥିଲା । ପରେ ନିଜ ଓକିଲଙ୍କୁ ନେଇ ଗ୍ରାହକ ଅଜୟ ସିଂଙ୍କ ବିରୋଧରେ ଦଳିତ ମାମଲା ଦାଏର କରିଥିଲା । ଏହି ଘଟଣାରେ ଏବେ ପୋଲିସ ଯାଞ୍ଚ ଚଳାଇଛି ।