ବିରୋଧୀଙ୍କ ମେଳିରେ ଆରମ୍ଭରୁ ଫାଟ : ଆପକୁ ବାଦ ଦେଇ ମେଣ୍ଟ କରିବାକୁ ଯୋଜନା; ପାଟନାରେ ପ୍ରସ୍ତୁତ ହେଲା ଦିଲ୍ଲୀ ପାଇଁ ପ୍ଲାନ୍

265

କନକ ବ୍ୟୁରୋ : ୨୦୨୪ରେ ଦିଲ୍ଲୀ ଦଖଲ ପାଇଁ ବିରୋଧୀଙ୍କ ମହାମେଳି ଫାଟ ଦେଖାଦେଇଛି । ଆପକୁ ବାଦ ଦେଇ ମେଣ୍ଟ କରିବାକୁ ବିରୋଧୀଙ୍କ ଯୋଜନା । ବିହାରର ପାଟଣାରେ ଯୋଗଦେଇଥିବା ୧୬ ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକ ଆସନ୍ତା ଜୁଲାଇ ୧୨ ତାରିଖରେ ସିମଲାରେ ହେବ । ସେଠାରେ ଟିକେଟ୍ ଭାଗବଣ୍ଟା ନେଇ ଦଳଗୁଡିକ ମଧ୍ୟରେ ଆଲୋଚନା ହେବ ବୋଲି କୁହାଯାଉଛି । ସମସ୍ତ ଦଳ ଏକାଠୀ ଲଢିବାକୁ ରାଜି ହୋଇଥିବା ନେଇ ବିରୋଧୀ ମେଣ୍ଟର ନେତୃତ୍ୱ ନେଉଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

ହେଲେ ୪ ଘଂଟାର ବୈଠକ ପରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇନଥିଲେ । ବିମାନ ଥିବା ଯୋଗୁ ସେମାନେ ପଳାଇଯାଇଇଥିଲେ ବୋଲି ନୀତିଶ କହିଥିଲେ । କିନ୍ତୁ ବାସ୍ତବରେ ବିରୋଧୀଙ୍କ ମେଣ୍ଟରେ ଆପ୍ ସହମତି ନଥିବା ସୂଚନା ମିଳିଛି । ଆପ କହିଛି, ଦିଲ୍ଲୀରେ ଅଫିସରଙ୍କ ଉପରେ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଆପକୁ ଖୋଲାଖୋଲି ସମର୍ଥନ ନକଲେ ଭବିଷ୍ୟତରେ ବିରୋଧୀଙ୍କ ବୈଠକରେ ଆପ୍ ଯୋଗ ଦେବ ନାହିଁ ।

ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଏନସିପି ମୁଖ୍ୟ ଶରଦ ପାୱାର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଆରଜେଡିର ଲାଲୁ ଯାଦବ ଓ ତେଜସ୍ୱୀ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ସିପିଏମ ନେତା ସିତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା, ପିଡିପି ନେତ୍ରୀ ମହବୁବା ମୁଫତି, ଏନସି ନେତା ଉମର ଅବଦୁଲ୍ଲା ପ୍ରମୁଖ ସାମିଲ୍ ଥିଲେ ।