ବିଜେପି ନେତା ଶାହନବାଜ୍ ହୁସୈନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର ପାଇଁ ନିର୍ଦ୍ଦେଶ । ୩ ମାସ ମଧ୍ୟରେ ସମ୍ପୁର୍ଣ୍ଣ ହେବ ଯାଞ୍ଚ ।

696

କନକ ବ୍ୟୁରୋ: ବିଜେପି ନେତା ତଥା ମୁଖପାତ୍ର ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ୩ ମାସ ମଧ୍ୟରେ ମାମଲାର ଯାଞ୍ଚ କରି କୋର୍ଟରେ ଦାଖଲ କରିବାକୁ ମଧ୍ୟ କୋର୍ଟ  କଡା ନିର୍ଦ୍ଦେଶ ଦେଇଛନ୍ତି ।

 ଦିଲ୍ଲୀରେ ରହୁଥିବା ଜନୈକ ମହିଳା ୨୦୧୮ ରେ ଏହି ଘଟଣାରେ ନିମ୍ନ ଅଦାଲତରେ ଗୁହାରୀ କରିଥିଲେ । ପୋଲିସଠାରୁ ନିରାଶ ହେବା ପରେ ହୁସୈନଙ୍କ ବିରୋଧରେ ମାମଲା ଦାଏର କରିବାକୁ କୋର୍ଟଙ୍କୁ ଅପିଲ କରିଥିଲେ ମହିଳା । ଏହାପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ଏହି ମାମଲାରେ ହୁସୈନଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଘଟଣା ଥିଲା ଏପରି…

ଦିଲ୍ଲୀର ଜନୈକ ମହିଳା ୨୦୧୮ ଜାନୁଆରୀରେ ଶାହାନବାଜ୍ ହୁସୈନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କୁ ଛତରପୁର ଫାର୍ମହାଉସରେ ହୁସୈନ ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଏନେଇ ହୁସୈନଙ୍କ ବିରୋଧରେ ମଜିଷ୍ଟ୍ରେଟ୍ କୋର୍ଟରେ ଦୁଷ୍କର୍ମ ମାମଲା ଦାଏର କରିବାକୁ ଅପିଲ କରିଥିଲେ । ମାଜିଷ୍ଟ୍ରେଟ୍ କୋର୍ଟ ଜୁଲାଇ ୭ ତାରିଖରେ ହୁସୈନଙ୍କ ବିରୋଧରେ ୩୭୬, ୩୨୮. ୧୨୦ ,୫୦୬ ଧାରା ଅଧୀନରେ ମାମଲା ଦାଏର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହୁସୈନଙ୍କ ବିରୋଧରେ ମାମଲା ଦାଏର କରିବାକୁ ପୋଲିସ ପଛଘୁଞ୍ଚା ଦେଇଥିଲା । ପୋଲିସ କୋର୍ଟରେ ନିଜର ଯୁକ୍ତି ସ୍ଥାପନ କରିଥିଲା । ଏହାକୁ କୋର୍ଟ ଖାରଜ କରିଦେଇଥିଲେ । ଏହାପରେ ହୁସୈନ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ପାଲଟା ଅପିଲ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

 ହାଇକୋର୍ଟ ଜଷ୍ଟିସ୍ ଆଶା ମେନନ୍ ଏଯାଏଁ ଦାଖଲ ସବୁ ତଥ୍ୟକୁ  ଆଧାର କରି ମହିଳାଙ୍କ ଅପିଲକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏହାକୁ ଏକ ସଂଜ୍ଞାନ ଅପରାଧ ବୋଲି କହିବା ସହ ଏହି ମାମଲାରେ  ପୋଲିସର ଅନିଚ୍ଛାକୁ ଭତ୍ର୍ସ୍ରନା କରିଛନ୍ତି । ପୋଲିସ ଦାଖଲ କରିଥିବା ରିପୋର୍ଟ ଅନ୍ତିମ ରିପୋର୍ଟ ନୁହେଁ ବରଂ ପୋଲିସ ଏହି ଘଯଣାର ଯାଞ୍ଚ ୩ ମାସ ମଧ୍ୟରେ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।