ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ମିଳିଲାନି ଜାମିନ, ଜାଣନ୍ତୁ କେତେଦିନ ବଢିଲା ନ୍ୟାୟିକ ହେପାଜତ ଅବଧି

230

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ରାୱଜ ଏଭିନ୍ୟୁ କୋର୍ଟ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ତାଙ୍କୁ ଜୁନ ପହିଲା ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହାସହ କୋର୍ଟ ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଜେଲ ତରଫରୁ ମନୀଷ ସିସୋଦିଆଙ୍କ ପଢା ପଢି ପାଇଁ ଟେବୁଲ ଓ ଚେୟାର ଉପଲବ୍ଧ କରାଇବା ଉପରେ ବିଚାର କରନ୍ତୁ ।

ସୂଚନା ଥାଉକି କଥିତ ଦିଲ୍ଲୀ ଅବକାରୀ ମାମଲାରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ସେ ଏବେ ନ୍ୟାୟିକ ହେପାଜତରେ ରହିଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ସିସୋଦିଆ ଓ ଅନ୍ୟ ୩ଜଣଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଉପରେ ଆଦେଶ ସୁରକ୍ଷିତ ରଖିଛନ୍ତି । ସିବିଆଇର ଏହି ଅଭିଯୋଗ ପତ୍ରରେ ସିସୋଦିଆଙ୍କ ବ୍ୟତୀତ ଅର୍ଜୁନ ପାଣ୍ଡେ, ବୁଚି ବାବୁ ଓ ଅମନଦୀପ ଢାଲଙ୍କ ନାମ ରହିଛି । ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲ ଏହି ମାମଲାର ଶୁଣାଣି କରି ମେ’୨୭ ତାରିଖରେ ଆଦେଶ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।