ବର୍ଷାରେ ବୁଡ଼ିଲା ଦିଲ୍ଲୀ । ସଂସଦରେ ପହଞ୍ଚିବାକୁ ବୁହା ହେଲେ ସାଂସଦ । ସେପଟେ ଅଫିସ ଯିବାକୁ ଡଙ୍ଗାରେ ପାର ହେଲେ ବିଜେପି କାଉନସିଲର

112

କନକ ବ୍ୟୁରୋ: ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ । ଯେଉଁ ଦିଲ୍ଲୀରେ ଗତକାଲି ପର୍ୟ୍ୟନ୍ତ ପାଣି ପାଇଁ ହାହାକାର ଦେଖାଦେଉଥିଲା ସେହି ଦିଲ୍ଲୀ ଏବେ ଭାସୁଛି । ଅସରାଏ ବର୍ଷାରେ ଭାସୁଛି ଦେଶର ରାଜଧାନୀ । କିଛି ଘଣ୍ଟାର ଲଗାଣ ବର୍ଷାରେ ବେହାଲ ଦିଲ୍ଲୀରୁ ଆସିଛି ଆଶ୍ଚର୍ୟ୍ୟ, ଚିକିତ ତଥା ଚିନ୍ତାଜନକ ଦୃଶ୍ୟ ।

  • ମୌସୁମୀ ପ୍ରଥମ ବର୍ଷାରେ ବୁଡ଼ିଲା ଦିଲ୍ଲୀ
  • ରାଜଧାନୀ ରାସ୍ତାରେ ଚାଲିଲା ଡଙ୍ଗା
  • ନେତା, ଜନତାଙ୍କ ଘରେ ପଶି ଲା ପାଣି
  • ଅଧାରେ ଅଟକିଲା ଯାନବାହନ

ଦିଲ୍ଲୀରେ ବର୍ତ୍ତମାନ ଆଖି ଯୁଆଡେ ଯାଉଛି ସେଠି କେବଳ ପାଣି ହିଁ ପାଣି । କେବଳ କିଛି ଘଣ୍ଟା ବର୍ଷାରେ ବେହାଲ ହୋଇପଡିଛି ଦେଶର ରାଜଧାନୀ । ରାସ୍ତାଘାଟରେ ଲହଡି ଭାଙ୍ଗୁଛି ବର୍ଷା ପାଣି। କେଉଁଠି କାର ବୁଡିଛି ତ ପୁଣି କେଉଁଠି ଅଧାରାସ୍ତାରେ ଦୁଇ ଚକିଆ ଯାନ ଅଟକିଯିବା ଫସି ରହିଛନ୍ତି ଲୋକେ । ଓଭରବ୍ରିଜର ତଳେ ଫସିରହିଥବା ବସରୁ ଯାତ୍ରୀଙ୍କୁ ଦୌଡି ସାହାଯ୍ୟରେ ଉଦ୍ଧାର କରାଯାଉଛି ।

ତେବେ ଏଭଳି ପରିସ୍ଥିତିରେ ସମାଜବାଦି ପାର୍ଟି ନେତା ରାମଗୋପାଳ ଯାଦବଙ୍କ ଘର ମଧ୍ୟ ବାଦ ପଡିନି । ବେଶ କଷ୍ଟରେ ନେତାଙ୍କୁ ବର୍ଷା ପାଣିର ଉଦ୍ଧାର କରାଯାଇଛି । ସେପଟେ ଡଙ୍ଗା ସାହାଯ୍ୟରେ ଅଫିସକୁ ଯିବାକୁ ପଡୁଥିବା ଅଭିଯୋଗ ଆଣି ଆପ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି କାଉନସିଲର ରବିନ୍ଦ୍ର ନେଗୀ ।

ଦିଲ୍ଲୀରେ ବର୍ଷା ପ୍ରଭାବରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପ୍ରବଳ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ କିଛି ଘଣ୍ଟା ଧରି ମେଟ୍ରୋ ଚଳାଚଳ ବନ୍ଦ ରହିଛି । ଆପ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ବାସିନ୍ଦା । ଦିଲ୍ଳୀରେ ବର୍ଷା ଓ କୁତ୍ରିମ ବନ୍ୟା ବିତ୍ପାତକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଆପ୍ ଉପରେ ବିଜେପି ଅଭିଯୋଗ ଆଣିଥିବାବେଳେ ସରକାର ସ୍ଥିତିକୁ ନେଇ ସଫେଇ ରଖିଛନ୍ତି ଆପ୍ ନେତା।

ସୂଚନାଯୋଗ୍ୟ ଯେ, ବର୍ଷା ପ୍ରଭାବରେ ନୋଏଡା, ଗୁରୁଗାଓଁ, ଦିଲ୍ଲୀ ଏନସିଆର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏବେ ପ୍ରଶ୍ନ ଉଠୁଛି ମୌସୁମୀ ବର୍ଷା ଆରମ୍ଭରୁ ଯଦି ଏଭଳି ସ୍ଥିତି ହେଲାଣି ଆଗକୁ ଦିଲ୍ଲୀର ଅବସ୍ଥା କ’ଣ ହେବ?