ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ କହିଲେ, ସତ୍ୟର ହେବ ଜୟ । ସିବିଆଇ ଅଫିସ ଆଗରେ ସମର୍ଥକଙ୍କ ଧାରଣା

214

କନକ ବ୍ୟୁରୋ: ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କୁ ଜେରା କରିବ ସିବିଆଇ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିବିଆଇ ମୂଖ୍ୟାଳୟ ଅଭିମୁଖେ ନିଜ ଦଳର ସାଂସଦ ଓ ବିଧାୟକଙ୍କ ସହ ବାହାରିଥିଲେ । ତେବେ ସିବିଆଇରେ ହାଜର ହେବା ପୂର୍ବରୁ ଭିଡିଓ ମେସେଜ ଜାରି କରି ବିଜେପି ସମେତ କେନ୍ଦ୍ରୀୟ ସଂସ୍ଥାକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ୍ । ଜାଣିଶୁଣି ମିଛ ମାମଲାରେ ଫଶାଯାଉଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ଆଡକୁ ଅଂଗୁଳି ନିର୍ଦ୍ଦେଶ କରି ସେମାନେ ବହୁତ ଶକ୍ତିଶାଳୀ ବୋଲି କହିଛନ୍ତି କେଜ୍ରିଓାଲ । କିନ୍ତୁ ତଦନ୍ତରେ ସହଯୋଗ କରିବା ନେଇ ସହମତି ପ୍ରକାଶ କରିଛନ୍ତି ଆପ୍ ସୁପ୍ରିମୋ ।

ଅନ୍ୟପଟେ ସିବିଆଇ ମୂଖ୍ୟାଳୟ ବାହାରେ ଓ କେଜ୍ରିଓାଲଙ୍କ ବାସଭବନ ବାହାରେ ଆଜି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରାୟ ଏକ ହଜାରରୁ ଅଧିକ ସୁରକ୍ଷାକର୍ମୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ମନୀଷ ସିସୋଦିଆ । କେଜ୍ରିୱାଲ ଦିଲ୍ଲୀ ଅବକାରୀ ଦୁର୍ନିତି ମାମଲାରେ ଅନ୍ୟତମ ସାକ୍ଷୀ ଭାବେ ଆଜି ତଦନ୍ତକାରୀ ସଂସ୍ଥା ଆପ ସୁପ୍ରିମୋଙ୍କୁ ପ୍ରଶ୍ନ ପଚାରିବ । ଅନ୍ୟପଟେ ଦିଲ୍ଲୀ ସରକାର ଆଜି ବିଧାନସଭାରେ ଏକ ସ୍ୱତନ୍ତ୍ର ସେସନ୍ ଡକାଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚୁରା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ଶୁକ୍ରବାର ସମନ କରିଥିଲା ସିବିଆଇ । ଆଉ ଆଜି ହାଜର ହେବାକୁ ସିବିଆଇ କହିଥିଲା ।