ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଦୀପକ ଚହରଙ୍କ ବାପା । ଦୀପକ କହିଲେ, ସୁସ୍ଥ ହେବା ପର୍ଯ୍ୟନ୍ତ ସେବା କରିବି । 

215

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ବାପା ଲୋକେନ୍ଦ୍ର ଚହର ଆଲିଗଡର ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ବେଳେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ । ସଙ୍ଗେ ସଙ୍ଗେ ଲୋକେନ୍ଦ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ଶୁଣିବା ପରେ ଦୀପକ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଅଧାରୁ ଘରକୁ ଫେରିବା ସହ ହସ୍ପିଟାଲରେ ବାପାଙ୍କ ସେବାରେ ଲାଗି ପଡିଛନ୍ତି ।

ଦୀପକ କହିଛନ୍ତି, ହସ୍ପିଟାଲରେ ବାପାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳୁଛି । ତାଙ୍କ ସ୍ୱାସ୍ଥ୍ର୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । କିନ୍ତୁ ଯେତେ ଯାଏଁ ବାପା ପୁରା ସୁସ୍ଥ ହୋଇନାହାନ୍ତି ସେତେବେଳେ ଯାଏଁ ସେ ତାଙ୍କ ପାଖରେ ରହିବେ । କାରଣ ବାପାଙ୍କ ପାଇଁ ଆଜି ସେ କ୍ରିକେଟର ହୋଇପାରିଛନ୍ତି ।

ମିଥରାଜ ହସ୍ପିଟାଲରେ ଏକ ଡାକ୍ତରୀ ଟିମ୍ ଲୋକେନ୍ଦ୍ରଙ୍କର ଚିକିତ୍ସା ଜାରି ରଖିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ତେବେ ବାପାଙ୍କ ଦେହ ଭଲ ନହେବା ପର୍ଯ୍ୟନ୍ତ ଦୀପକ ତାଙ୍କ ପାଖରେ ରହିବେ । ତେଣୁ ଆସନ୍ତା ଦକ୍ଷିଣ ଆଫ୍ରିକା ଗସ୍ତରେ ଦୀପକଙ୍କୁ ଦେଖିବାକୁ ମିଳିନପାରେ । ଦୀପକଙ୍କ ବାପା ଲୋକେନ୍ଦ୍ର ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିଲେ । କିନ୍ତୁ ଦୀପକଙ୍କୁ ଭଲ କ୍ରିକେଟର କରିବାକୁ ନିଜର ଚାକିରି ଛାଡିଥିଲେ ଲୋକେନ୍ଦ୍ର ।