ନାଉରିଆଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା : ବ୍ରାହ୍ମଣୀ ନଦୀ କୂଳରେ ମୃତଦେହ ରଖି ପୋଲ ନିର୍ମାଣ ପାଇଁ ଗାଁଲୋକଙ୍କ ଦାବି

498

କନକ ବ୍ୟୁରୋ : ରାଜନଗରରେ ନାଉରିଆଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା । ବ୍ରାହ୍ମଣୀ ନଦୀ କୂଳରେ ମୃତଦେହ ରଖି ପୋଲ ନିର୍ମାଣ ପାଇଁ ଗାଁଲୋକଙ୍କ ଦାବି । ଘଟଣାସ୍ଥଳରେ ରାଜନଗର ବିଧାୟକ, ତହସିଲଦାର, ଆଳି ବ୍ଲକ ପ୍ରଶାସନଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ମାସେ ଭିତରେ ପୋଲ ନିର୍ମାଣ କାମ ଆରମ୍ଭ ହେବା ପାଇଁ ବିଧାୟକ ଆଶ୍ୱସନା ଦେଉଥିଲେ ବି ଶୁଣିନାହାନ୍ତି ଗାଁଲୋକ ।

ସେପଟେ, ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କ ଜୀବନ ବଂଚାଇଲେ ନାଉରିଆ । ହେଲେ ପାଣିର ପଖର ସ୍ରୋତରୁ ନିଜେ ବଂଚିବାରେ ସକ୍ଷମ ହେଲେନି ନାଉରିଆ ସୁଦର୍ଶନ ସ୍ୱାଇଁ । ଆଉ ଜଣେ ଯାତ୍ରୀଙ୍କୁ ବଂଚାଇବାକୁ ଯାଇ ନଈର ପ୍ରଖର ବୁଡ଼ି ଯାଇଥିଲେ ନାଉରିଆ ସହ ଅନ୍ୟ ଜଣେ ଯାତ୍ରୀ । ଲୋକଙ୍କ ଆଖି ସାମ୍ନାରେ ଦୁହେଁ ବୁଡ଼ି ଯାଇଥିଲେ ବି ବ୍ରାହ୍ମଣୀ ନଈର ପ୍ରଖର ସ୍ରୋତକୁ ଯିବାକୁ କାହାର ସାହାସ ହୋଇନଥିଲା । ନାଉରିଆଙ୍କ ସାହାସ ପାଇଁ ୨ ଯାତ୍ରୀ ଜୀବନ ପାଇଯାଇଥିଲେ ସିନା ହେଲେ ସବୁଦିନ ପାଇଁ ଢ଼େଉର ସ୍ରୋତରେ ନିଜ ପରିବାରଠୁ ବହୁ ଦୂରକୁ ଚାଲିଯାଇଛନ୍ତି ସୁଦର୍ଶନ ।

ଗତକାଲି ଆଳି ବ୍ଲକ ବାହ୍ମଣୀ ନଦୀରେ ଏକମାଣିଆ ପଂଚାୟତର ଲୋକେ କେରେଡ଼ାଗଡ଼ ଆସିବାକୁ ପ୍ରଥମ ଭଡ଼ା ଡ଼ଙ୍ଗାରେ ବସିଥିଲେ । ହେଲେ ଡ଼ଙ୍ଗାଟି କିଛି ଦୂରକୁ ଯାଇ ବୁଡ଼ିବାକୁ ଲାଗିଥିଲା । ଡ଼ଙ୍ଗାରେ ଥିବା ୨୦ ଯାତ୍ରୀଙ୍କ ଜୀବନ ବଂଚିଯାଇଥିଲା । ହେଲେ ନାଉରିଆ ସହ ଅନ୍ୟ ଜଣେ ଯାତ୍ରୀ ନିଖୋଜ ଥିଲେ । ଅନେକ ଖୋଜାଖୋଜି ପରେ ଗତକାଲି ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହେଲେ ନାଉରିଆଙ୍କ କୌଣସି ପତା ମିଳିନଥିଲା । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ନାଉରିଆ ସୁଦର୍ଶନଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।