ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ଦାନ୍ତେୱାଡା ଘଟଣାର ଭୟାବହତା : ଗାଡି ଓଭରଟେକ୍ କରି ଯିବାପରେ ଆଖି ସାମ୍ନାରେ ହେଲା ବିସ୍ଫୋରଣ

693

କନକ ବ୍ୟୁରୋ : ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ଦନ୍ତେୱାଡା ମାଓ ଆକ୍ରମଣ ଘଟଣାର ଭୟାବହତା । ଯେଉଁ ରାସ୍ତାରେ ବିସ୍ଫୋରଣ ଘଟିଛି ସେହି ରାସ୍ତାରେ ପ୍ରତ୍ୟକ୍ଷଦର୍ଶୀ ଯୁବରାଜ ସିଂ ମଧ୍ୟ ଗାଡି ନେଇକି ଆସୁଥିଲେ । ତାଙ୍କ ଆଖି ସାମ୍ନାରେ ଘଟିଥିଲା ବିସ୍ଫୋରଣ । ଯୁବରାଜଙ୍କ କହିବା ଅନୁସାରେ ତାଙ୍କ ଗାଡି ଚକରେ କିଛି କାଠ ଲାଗି ଯାଇଥିବାରୁ ସେ ଗାଡି ଅଟକାଇ ଦେଇଥିଲେ । ଏହି ସମୟରେ ତାଙ୍କୁ ଓଭରଟେକ୍ କରି ୩ଟି ଗାଡି ଯାଇଥିଲା । ଏବଂ ଏହା ପରେ ତାଙ୍କରି ଆଖି ସାମ୍ନାରେ ବିସ୍ଫୋରଣ ଘଟିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳି ମାଡ ହୋଇଥଲା ।

ନକ୍ସଲମାନେ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କେଉଁଠାରୁ ଆଣୁଛନ୍ତି । ଏହାର ତଦନ୍ତ ହେବା ଦରକାର । ବୁଧବାର ଛତିଶଗଡ଼ର ଦନ୍ତେୱାଡ଼ାରେ ହୋଇଥିବା ନକ୍ସଲ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏଭଳି ଏକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ନକ୍ସଲମାନେ ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ତାହାକୁ ନେଇ ଆମେ ଲଗାତାର ପ୍ରଶ୍ନ ଉଠାଉଛୁ ।

ସେମାନେ କେମିତି ଏତେ ପରିମାଣର ବିସ୍ଫୋରକ ଉତ୍ପାଦନ କରିପାରୁଛନ୍ତି ? କେନ୍ଦ୍ର ସରକାର ଏହାର ତଦନ୍ତ କରିବା ଦରକାର । ଏସବୁ ଜିନିଷ ଛତିଶଗଡ଼ରେ ତିଆରି ହେଉନାହିଁ, ତେବେ ନକ୍ସଲଙ୍କ ପାଖରେ କେମିତି ପହଂଚୁଛି ବୋଲି ପ୍ରଶ୍ନ କରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଘଟିଥିବା ସ୍ଥାନର ଭୂଗୋଳ ବୁଝିବାର ଆବଶ୍ୟକତା ରହିଛି । ଏହା ୩ଟି ଜିଲ୍ଲା ସୁକମା, ବିଜାପୁର ଓ ଦାନ୍ତେୱାଡାକୁ ଲାଗି ରହିଛି । ଏଠାରେ ରାସ୍ତା ନଥିଲା ।