ବାହାଘର ପୂର୍ବରୁ ଘରେ କଳାକନା ବୁଲାଇଲେ ଚୋର । ଝିଅ ବାହାଘର ପାଇଁ ସାଇତି ରଖିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ

502

କନକ ବ୍ୟୁରୋ : ମାସକ ପରେ ବାହାଘର ଥିଲା, ହେଲେ ଘରେ କଳାକନା ବୁଲାଇଗଲା ଚୋର । ଝିଅ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଗଲେ ଦୁର୍ବୃତ । କେମିକାଲ ସ୍ପ୍ରେ କରି ପରିବାରର ସମସ୍ତଙ୍କୁ ଅଚେତ କରି ଲୁଟି ନେଲେ ଗହଣା । କଟକ ଜଗତପୁର ଥାନା ଅଂଚଳର ବଡଭୀମରାଜପୁର ଗ୍ରାମରେ ଘଟିଛି ଏହି ଘଟଣା । ଗାଁର ତଜମୁଲ ହୁସେନ ଖାଁଙ୍କ ଘରୁ ଝିଅ ବାହାଘର ପାଇଁ ରଖାଯାଇଥିବା ସୁନା, ରୁପା ଗହଣା ସମେତ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ରାତିରେ ତଜମୁଲଙ୍କ ପରିବାରର ସମସ୍ତେ ଶୋଇଥିଲେ । କିଛି ଦୁର୍ବୃତ ଘର ପଛ ପଟ ଗ୍ରୀଲର ତାଲା କାଟି ଘର ଭିତରେ ପଶିଥିଲେ ।ଏନେଇ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ଏସିପିଙ୍କ ନେତୃତ୍ୱରେ ପୁଲିସ ଓ ସାଇଂଟିଫିକ୍ ଟିମ ପହଂଚି ତନାଘନା ଚଲାଇଛନ୍ତି । ଏହି ଘଟଣାର ତଦନ୍ତ ଚାଲୁଛି, ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଏସିପି କହିଛନ୍ତି ।