ଗାଡି ପାର୍କିଂକୁ ନେଇ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

69

କନକ ବ୍ୟୁରୋ: ପୂର୍ବ ଶତ୍ରୁତା ଓ ଗାଡି ପାର୍କିଙ୍ଗକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ମରଣାତ୍ମକ ଆକ୍ରମଣ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରା ବଡଦଣ୍ଡା ସାହିରେ ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କେ ସୁରେନ୍ଦ୍ର ରେଡି ଓ ତାଙ୍କ ପତ୍ନୀ କେ ଲକ୍ଷମୀ ରେଡିଙ୍କୁ ପଡୋଶୀ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।

ବିଳମ୍ବିତ ରାତିରେ ସୁରେନ୍ଦ୍ର ଓ ପତ୍ନୀ ଲକ୍ଷମୀ ଘର ବାରଣ୍ଡାରେ ବସିଥିବାବେଳେ ପଡୋଶୀ କେ ସନ୍ତୋଷ ରେଡି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଆଉ ପରେ ଆକ୍ରମଣର ଶିକାର ହୋଇଥିବା ସ୍ୱାମୀଙ୍କୁ ବଞ୍ଚେଇବାକୁ ଯାଇ ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ବେଳେ ପରେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୨ ଦିନ ପୂର୍ବେ ଗାଡି ପାର୍କିଂକୁ କେନ୍ଦ୍ର କରି ୨ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣା ବିଷୟରେ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।