ରଥ ଉଚ୍ଚତାକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା ପରେ ତେଜିଲା ବିବାଦ । ମନ୍ତବ୍ୟକୁ ନିନ୍ଦା କଲେ କେନ୍ଦୁଝର ବଳଦେବଜୀଉ ମନ୍ଦିର ସେବାୟତ  ।

262

 କନକ ବ୍ୟୁରୋ: ବଡ଼ ଠାକୁରଙ୍କ ରଥ ସବୁଠୁ ବଡ ବୋଲି ଗଜପତି ମହାରାଜ କହିବା ପରେ ବିବାଦ ତେଜୁଛି ।  ଗଜପତି ବୟାନ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଜଗନ୍ନାଥ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ ।

ଏବେ ନୁହେଁ ଦୀର୍ଘ ୩୦୦ ବର୍ଷ ହେଲା କେନ୍ଦୁଝରରେ ବଡ ରଥ ନିର୍ମାଣ କରାଯାଇଆସୁଛି । ଏତେ ପୂର୍ବରୁ ରଥ ନିର୍ମାଣ କରାଯାଉଥିବାରୁ ତାର କିଛିଟା ବିଧିବିଧାନ ଥିବ । ହୁଏତ ପୂର୍ବରୁ ଏନେଇ ପୁରୀକୁ ସ୍ୱୀକୃତି ମିଳିଥିବ ବୋଲି ସେ କହିଛନ୍ତି । ସେହିପରି ବଳଦେବଜୀଉଙ୍କ ଜଣେ ସେବକ କହିଛନ୍ତି, ୧୬୭୧ ମସିହାରୁ ବଳଦେବଜୀଉଙ୍କ ଏହି ରଥ ନିର୍ମାଣ ହୋଇଆସୁଛି । ଏ ରଥ କେବେ ବି ଭଙ୍ଗା ଯାଏନି । ଏଥିରେ ମରାମତି କରାଯାଇ ରଥଯାତ୍ରା କରାଯାଇଥାଏ । ତେଣୁ ଏ ରଥର ଉଚ୍ଚତା ପୂର୍ବରୁ ଯେତିକି ଥିବ ଏବେ ବି ସେତିକି ଅଛି । ତେଣୁ ଏହା ପୂର୍ବରୁୁ ଥିବା ଗଜପତିଙ୍କ ଜାଣତରେ କରାଯାଇଛି । ତେଣୁ ଗଜପତି ଦେଇଥିବା ମନ୍ତ୍ୟବ୍ୟରେ ସେ ସହମତ ନ ଥିବା କହିଛନ୍ତିି ।

ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ୱାଲ୍ଡ ରେକଡର୍ସରେ ସ୍ଥାନ ମିଳିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା କଥା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ । କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି । ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏଥିରେ ୧୬ ଚକ ରହିଥାଏ । ପୁରୀରେ ତିନି ରଥରେ ତିନି ଦିଅଁ ଯାତ୍ରା କରୁଥିବା ବେଳେ କେନ୍ଦୁଝରରେ ଗୋଟିଏ ରଥରେ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଓ ମା’ ସୁଭଦ୍ରା ଯାତ୍ରା କରିଥାନ୍ତି ।